
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ବାଲିଗୁଡା ସମେତ ଆଖପାଖ ଅଞ୍ଚଳ ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ରାଇକିଆ, ଟିକାବାଲି, ଜି.ଉଦୟଗିରି ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇ ଦୋକାନ ବଜ଼ାର ବନ୍ଦ ରହିବା ସହ ସଂପୃକ୍ତ ଅଞ୍ଚଳରୁ ଫୁଲବାଣୀ, ବାଲିଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାଇକିଆ ଆଦି ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଗାଡ଼ିମୋଟର ବନ୍ଦ ରହିଛି । ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିଛି । ବାଲିଗୁଡା ଗାନ୍ଧୀ ଛକ ନିକଟରେ ୫୯ ନଂ.ଜାତୀୟ ରାଜପଥରେ ମନୋଜ କୁମାର ଆଚାର୍ୟ୍ୟ, ସ୍ଵପ୍ନେଶ୍ଵର ସାହୁ, ଆଇବର ନାୟକ, କେ.ବଳରାମ ଦୋରା, ଶିବରାମ ପ୍ରଧାନୀଙ୍କ ସମେତ ଶତାଧିକ କର୍ମୀ ରାସ୍ତାରେ ବ୍ୟାରିକେଟ ବାନ୍ଧି ବନ୍ଦ ପାଳନ କରିବା ସହ ଦଳୀୟ ପତାକା ଧରି ନୂତନ କୃଷି ଆଇନକୁ ତୀବ୍ର ବିରୋଧ କରି ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।