ବଲାଙ୍ଗିର ବିଜେପିରେ ତେଜିଲା ଗୋଷ୍ଠୀ କନ୍ଦଳ : ଅନନ୍ତ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜେପି.ରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ଏଠାରେ ଦଳ ମଜବୁତ୍‌ ହେବା ବଦଳରେ ଦଳୀୟ ବିବାଦ ଦଳକୁ ବିପଥଗାମୀ କରୁଥିବା ଅନୁମିତ ହୋଇଛି । ଗତ ୨୩ ତାରିଖରେ ଦଳୀୟ ନେତାଙ୍କୁ ଅବଜ୍ଞା କରି ଗତ ଥରର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ କିଛି ଲୋକଙ୍କୁ ମଞ୍ଚରେ ବସାଇ ସଂଯୁକ୍ତ ମୋର୍ଚ୍ଚା ବୈଠକ କରିଥିଲେ । ତେଣୁ ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ଏଥିପାଇଁ ଗତକାଲି ବଲାଙ୍ଗିର ଠାରେ ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅନନ୍ତ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଭାପତିଙ୍କ ପାଖକୁ ସୁପାରିଶ କରାଯାଇଥିବା ଓ ଅନନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା ଭାଜପା ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଭାଜପା ଜିଲ୍ଲା ସଭାପତି ଶୀବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ଉପସଭାପତି ରାକେଶ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜୀନୀ ପଣ୍ଡା, ଗୋପାଳଜୀ ପାଣିଗ୍ରାହୀ, ମୁକେଶ କୁମାର ଜୈନ, ଅମିତ ସିଂନିନା, ଦୀନେଶ ଶର୍ମା ପ୍ରମୁଖ ମଂଚାସୀନ ଥିଲେ । ଦଳ ପକ୍ଷରୁ କୁହାଯାଇଛି ଯେ, ବଳରାମ ସିଂ ଯାଦବ ନାମକ ବ୍ୟକ୍ତି ଭାଜପା ଦଳରେ କୌଣସି ପ୍ରାଥମିକ ସଦସ୍ୟ ନାହାନ୍ତି । ତେଣୁ ଦଳୀୟ ନିୟମ ଅନୁଯାୟୀ ତାଙ୍କୁ ଡକାଯାଇ ଦଳୀୟ ବୈଠକରେ ମୁଖ୍ୟଅତିଥି କରାଯିବା ତଥା ଦଳୀୟ ବ୍ୟାନର୍‌ରେ ତାଙ୍କୁ ଜଣେ ବରିଷ୍ଠ ନେତା ଭାବରେ ପ୍ରୋଜେକ୍ଟ କରାଯିବା ସଂପୂର୍ଣ୍ଣ ଭାବରେ ବେଆଇନ । ସେହିପରି ବଳରାମ ସିଂ ଯାଦବ, ଯିଏକି ବାହାର ରାଜ୍ୟର ଜଣେ ବିଭିନ୍ନ ମାମଲାର ଅଭିଯୁକ୍ତ ବ୍ୟକ୍ତି, ସେ ଦଳର କୌଣସି ପଦପଦବୀରେ ନଥାଇ ଭାଜପା ପତାକା ଲଗାଇ କାର୍ଯ୍ୟକ୍ରମ କରିବା, ଗାଡିରେ ପତାକା ବ୍ୟବହାର କରୁଥିବାରୁ ଗଣମାଧ୍ୟମ ଜରିଆରେ ଏହାକୁ ବାରଣ କରାଯାଉଛି ବୋଲି ବଲାଙ୍ଗିର ବିଜେପି ପକ୍ଷରୁ କୁହାଯାଇଥିବା ବେଳେ ବାରଣକୁ ଅମାନ୍ୟ କଲେ ଆଗକୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.