ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହା ଘୋଷଣା କରାଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ସାମ୍ବାଦିକ ଭବନରେ ଜିଲ୍ଲାର ପାଟଣାଗଡ, ବେଲପଡା, କଣ୍ଟାବାଞ୍ଜି ଏବଂ ଟିଟିଲାଗଡ ଉପଖଣ୍ଡରୁ ଆସିଥିବା ପ୍ରତିନିଧି ମଣ୍ଡଳ ଏବଂ ବଲାଙ୍ଗିରର କେତେକ ଅଗ୍ରଣୀ ସାମାଜିକ ଏବଂ ରାଜନୀତିକ ସଙ୍ଗଠନର ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ଏକ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପାଟଣାଗଡର ବ୍ରହ୍ମପୁରା ସ୍ଥିତ ପର୍ଶୁରାମ ଛକରେ ପୂଜିତ ହେଉଥିବା ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରକୁ ସେଠାରୁ ହଟେଇ ଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଆଜିର ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଏଭଳି ପଦକ୍ଷେପକୁ ଆଜିର ବୈଠକରେ ଦୃଢ଼ ନିନ୍ଦା କରାଯାଇଥିଲା। । ଏହାର ବିରୋଧରେ ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ । ଏହି ଦିନ ସମଗ୍ର ବଲାଙ୍ଗିର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ ଯାନବାହାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି । ଯଦି ତା’ପରେ ବି ବିଜୁବାବୁଙ୍କ ପ୍ରତିମା ହଟେଇ ଭଗବାନ ପର୍ଶୁରାମଙ୍କ ପ୍ରତିମା ସ୍ଥାପନ କରାନଯାଏ, ବଲାଙ୍ଗିର ହିନ୍ଦୁ ସମାଜ ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହେବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚର ଏହି ପ୍ରସଙ୍ଗକୁ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଥିବାରୁ ତାଙ୍କୁ ମଞ୍ଚ ତରଫରୁ ସାଧୁବାଦ ଅର୍ପଣ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗୋପାଳଜୀ ପାଣିଗ୍ରାହୀଙ୍କ ସହ ବ୍ୟବସାୟୀ ସଂଘର କିଶୋର ରଥ, ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର, ବିଜେପିରୁ ଦିନେଶ ଶର୍ମା, କଂଗ୍ରେସ ନଗର ସଭାପତି ବୁଲୁ ଦାନୀ, ବେଲପଡା ଏବଂ କଣ୍ଟାବାଞ୍ଜିରୁ ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.