‘ଜୁହାର କ୍ରିଏସନ୍’ ୟୁଟ୍ୟୁବ୍ ଚେନାଲ୍ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍’ : ନାରୀ ନିର୍ଯାତନା ଉପରେ ଏକ ମାଇଲ୍ ଖୁଣ୍ଟ
ବଲାଙ୍ଗିର, (କେପିଏନ୍ଏସ୍) : ‘ଜୁହାର କ୍ରିଏସନ୍’ ୟୁଟ୍ୟୁବ୍ ଚେନାଲ୍ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍’ ନିକଟରେ ମୁକ୍ତିଲାଭ କରିଥିବା ବେଳେ ଦର୍ଶକମାନଙ୍କ ବିଶେଷ ଭାବେ ଆକର୍ଷିତ କରି ପାରିଥିବା ସୂଚନା ମିଳିଛି । ନାରୀ ନିର୍ଯାତନା ଉପରେ ଆଜିର ସମୟରେ ଏକ ମାଇଲ୍ ଖୁଣ୍ଟର ଭୂମିକା ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ବୋଲି ସିନେମା ସମୀକ୍ଷକମାନେ ମତ ରଖିଛନ୍ତି । ପ୍ରଦୀପ କୁମାର ଭୋଇଙ୍କ ଦ୍ୱାରା ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ଲେଖକ ହେଉଛନ୍ତି ଡ. ପ୍ରଶାନ୍ତ କୁମାର ପଣ୍ଡା । ନିର୍ଦ୍ଦେଶନା କମ୍ ଡିଓପି. ଦାୟିତ୍ୱ ନିଭେଇଛନ୍ତି ଗୋପାଳ ପ୍ରଧାନ । ଜେ.ପି. ସାହୁ (ଏଡି), ଲମ୍ବୋଦର ଟାକ୍ରି ଓ ଜୟପ୍ରକାଶ ସାହୁ (ସଂପାଦନା), ମିଲୁ ଦୁଆନ୍ (ଲାଇଟ୍), ସୌମ୍ୟ ବାଗ (କ୍ୟାମେରା ଆସିଷ୍ଟାଣ୍ଡ), ଗୀଟୁ (ମ୍ୟୁଜିକ୍) ପ୍ରମୁଖଙ୍କ ବିଶେଷ ଯୋଗଦାନ ଏହି ଛୋଟ ଚଳଚ୍ଚିତ୍ରରେ ଜୀବନ ଭରି ଦେଇପାରିଛି । ଜଣାଶୁଣା କଳାକାର ଛବିଳ ପ୍ରଧାନ, ମୁଗ୍ଧା ଦାଶ, ତିଲୁ ସାହୁ ଏଥିରେ ଅଭିନୟ କରିଥିବା ବେଳେ ଏହି ଛୋଟ ଚଳଚ୍ଚିତ୍ରଟି ଛବିଳଙ୍କ ମାନସ କାହାଣୀ ବୋଲି କୁହାଯାଇଛି । ଏହି ପ୍ରସ୍ତୁତି ପାଇଁ ରାମ ଚନ୍ଦ୍ର ସାହୁ (ଏନ୍ଏସଡି), ଯୋଗେଶ୍ୱର ସାହୁ, ଉତ୍ପନ୍ନ ଭୋଇ, କାଳିଚରଣ ବାଗ, ରବିରତ୍ନ ବାଗ, ଶୁଭ୍ରାଂଶୁ ଶେଖର ସ୍ୱାଇଁ (ସୁରୁବାବୁ), ଦୁର୍ଗାପୂଜା କମିଟି (ରାମୁଣ୍ଡା) ଓ ଗୁରୁକୁଳ ଡେନ୍ସ ଏକାଡେ଼ମୀ (ବରଗଡ଼)ଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ପ୍ରଦାନ କରାଯାଇଛି ।
କୁହାଯାଇଛି ଯେ, ବର୍ତ୍ତମାନ ସମାଜରେ ଯୌନ ବ୍ୟଭିଚାର, ବଳକ୍ରାର, ନାରୀ ଶୋଷଣ ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇସାରିଛି । ଏପରିକି ଘର ପରିବାର, କାର୍ଯ୍ୟାଳୟ, ରାସ୍ତାଘାଟ… କୌଣସି ବି ସ୍ଥାନରେ ନାରୀଟିଏ ନିଜକୁ ସୁରକ୍ଷିତ ମଣି ପାରୁନାହିଁ । ପ୍ରତିକାର ପାଇଁ ବହୁ ଆଇନ କାନୁନ୍ ରହିଥିବା ବେଳେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ମାତ୍ର ଏହି ସାମାଜିକ ବ୍ୟାଧି ଆହୁରି ବଢ଼ି ବଢ଼ି ଚାଲିଛି ସିନା କମିବାର ନାଁ ନେଉନି । ଏହି ବ୍ୟାଧିର ମୂଳୋତ୍ପାଟନ ପାଇଁ ସମାଜର ପ୍ରତ୍ୟେକ ମଣିଷଙ୍କ ଯୋଗଦାନ ତଥା ପ୍ରଚେଷ୍ଟାର ବିଶେଷ ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର “ଆଉ କେତେଦିନ୍” ।