ଗାଁ ମଝିରେ କମ୍ୟୁନିଟି ହଲ ନିର୍ମାଣ ନେଇ ବଢୁଛି ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପୋଡ଼ାଗଡ଼ ଗ୍ରାମର ମଧ୍ୟଭାଗରେ କମ୍ୟୁନିଟି ହଲ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ମୁଖ୍ୟରାସ୍ତାରେ ପିଲର ଉଠାଇବା ପାଇଁ ଗର୍ତ୍ତ ଖୋଳିବା ଆରମ୍ଭ ହେବା ପରେ ଗ୍ରାମରେ ଏକ ପ୍ରକାର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଗ୍ରାମର ମହିଳା ଓ ପୁରୁଷ ମାନେ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଏହାର ବିକଳ୍ପ ବ୍ୟବସ୍ଥା କରି ଅନ୍ୟତ୍ର ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଛନ୍ତି । ଘର ସମ୍ମୁଖରେ ଏହା ହେଉଥିବାରୁ ସେମାନେ ଏହାକୁ ଘୋର ବିରୋଧ କରୁଛନ୍ତି । ଗ୍ରାମକୁ ଆମ୍ବୁଲାନ୍ସ, କିମ୍ବା ଅଗ୍ନିଶମ ଗାଡି କିମ୍ବା ଅନ୍ୟାନ୍ୟ ଯାନ ବାହାନ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ ବୋଲି ଲୋକଙ୍କ ମଧ୍ୟରେ ମତପ୍ରକାଶ ପାଉଛି । କାହା ଇଙ୍ଗିତରେ ଏହା ହେଉଛି, କେଉଁ ରାଜନୈତିକ ଉଦ୍ଦେଶ୍ୟ ରହି ଏହା ଆରମ୍ଭ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏନେଇ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ଗୃହ ନିର୍ମାଣ ହେଲେ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମର ଅନ୍ୟତ୍ର ଏହି ପ୍ରକଳ୍ପ ନିର୍ମାଣ କରି ଏହି ବିଶୃଙ୍ଖଳାର ଅନ୍ତ ଘଟାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.