ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ୍‌ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲ୍ଲାର ଭୋଟରମାନେ ୮୫ କଣ୍ଟାମାଲ ଏବଂ ୮୬ ବୌଦ୍ଧ ବିଧାନସଭା ସହିତ ୧୩ କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟଗ୍ରହଣ କାର୍ଯ୍ୟ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନେ ଆବଶ୍ୟକ ସାମଗ୍ରୀ ନେଇ ମତଦାନ କେନ୍ଦ୍ରକୁ କାଲି ଠାରୁ ଯିବା ଆରମ୍ଭ କରିବେ । ବୌଦ୍ଧ ପଂଚାୟତ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, ତଥ୍ୟ କାଉଣ୍ଟର, ସାମଗ୍ରୀ କାଉଣ୍ଟର ଏବଂ ଅନ୍ୟାନ୍ୟ କାଉଣ୍ଟର ସ୍ଥାପିତ ହୋଇଛି । କର୍ମଚାରୀମାନଙ୍କୁ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ କଲେଜ୍ ପରିସର ମଧ୍ୟରେ ଯୋଗାଇ ଦିଆଯିବ । ଏହା ଯେପରି ତ୍ରୁଟି ଶୂନ୍ୟ ଓ ସୁରୁଖୁରୁରେ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆଜି ମକଡ୍ରିଲ୍‌ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ, ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଟିଂ ଅଫିସର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଟିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ମକଡ୍ରିଲ୍‌ କରାଯାଇଥିଲା । ଡେପୁଟି କଲେକ୍ଟର (ନିର୍ବାଚନ ) ଶାଶ୍ୱତ ପ୍ରଧାନ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆସନ୍ତା କାଲିଠାରୁ ଭୋଟ୍‌ ଗ୍ରହଣ ପର୍ଯ୍ୟନ୍ତ ଏବଂ ଭୋଟ୍‌ ପରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରକୁ ଫେରି ସମସ୍ତ ସାମଗ୍ରୀ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିବା ସହ, ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତ ତାଲିମ ପ୍ରଦାନ କରିଥିଲେ । ଭୋଟଦାନ ପାଇ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାର୍ଚନ ମଣ୍ଡଳୀ ପାଇ ୧୯୪ ଓ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଗୋଟି ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୫୦ଟି ଆଦର୍ଶ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ୪୦ଟି ସାଖି ମତଦାନ କେନ୍ଦ୍ର ରହିଥିବା ବେଳେ ୪ଟି ଯୁବ ମତଦାନ କେନ୍ଦ୍ର, ଗୋଟିଏ ଭିନ୍ନକ୍ଷମ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ୨ଟି ମତଦାନ କେନ୍ଦ୍ରକୁ ଇକୋ ଫ୍ରେନ୍ଡଲି ଓ ୨ଟି ମତଦାନ କେନ୍ଦ୍ରକୁ ଏଥିନିକ ଥିମ୍‌ ଅର୍ଥାତ ସାଂସ୍କୃତିକ ବୈଭବ ପ୍ରତୀକ ଭାବେ ପ୍ରସ୍ତୁତ କରାଯାଇଛି । ୧୮ ମେରେ ପୁରୁଷ କର୍ମଚାରୀ ମାନଙ୍କୁ ବୁଥ୍‌ମାନଙ୍କୁ ପଠାଇବା କାମ,୧୯ ତାରିଖରେ ପିଙ୍କ ବୁଥ୍‌ମାନଙ୍କୁ ମହିଳାମାନଙ୍କୁ ପଠାଇବା ଏବଂ ନିର୍ବାଚନ ଯେମିତି ସଫଳ ଭାବରେ ହେବ, ସେଥିପାଇଁ କର୍ମଚାରୀ ମାନେ ପ୍ରସ୍ତୁତ ରହିବା, ନିଜକୁ ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.