ସାମ୍ପ୍ରତିକ ସମୟରେ ଲକ୍ଷ୍ମୀ ପୁରାଣର ମହତ୍ତ୍ୱ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଓ କେଶବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ସାମ୍ପ୍ରତିକ ସମୟରେ ଲକ୍ଷ୍ମୀ ପୁରାଣର ମହତ୍ତ୍ୱ ସମ୍ପର୍କରେ ଏକ ଆଲୋଚନା ଚକ୍ର ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଶାଖାର ପ୍ରମୁଖ ଆବାହକ ପୁଷ୍ପଲତା ସାହୁଙ୍କ ଆବାହକତ୍ଵ, ଶାଖାର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱ ଓ ଲଳିତା ମୁଦାଲୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଓ ବିଜୟିନୀ ଜେନା ଯୋଗଦେଇଥିଲେ । ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଲକ୍ଷ୍ମୀ ହେଉଛନ୍ତି ପ୍ରତୀକ । ନାରୀ ପାଖରେ ସମାଜ ପରିବର୍ତ୍ତନର ଧାରା ରହିଛି । ଅସାମାଜିକ କାର୍ଯ୍ୟକଳାପ ବିରୁଦ୍ଧରେ ନାରୀ ସ୍ୱର ଉତ୍ତୋଳନ କରିପାରେ । ପଞ୍ଚସଖା ଯୁଗ ସାମାଜିକ ପରିବର୍ତ୍ତନ କରିବାକୁ ଚାହିଁଥିଲେ । ସମ୍ପ୍ରତି ସାମାଜିକ ସହ ଆଧ୍ୟାତ୍ମିକତା ପରିବର୍ତ୍ତନ ହୋଇଛି । ଅନ୍ୟତମ ଆଲୋଚିକା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅନ୍ତର୍ନିହିତ ଶକ୍ତି ହିଁ ଆମର ଆଧ୍ୟାତ୍ମିକତା । ବଳରାମ ଦାସ ତତ୍କାଳୀନ ସମୟର ସାମାଜିକ ସ୍ଥିତି ଦେଖି ଲକ୍ଷ୍ମୀପୁରାଣ ଲେଖିଛନ୍ତି । ଯେଉଁଥିରେ ନାରୀ ସଶକ୍ତିକରଣର ବାର୍ତ୍ତା ରହିଛି । ଏହାସହ ସମଭାବାପନ୍ନ ଓ ସାମାଜିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସେ ଆହ୍ୱାନ ଦେବା ସହ ଆତ୍ମଚେତନା ଜାଗ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭବାନୀ ସାହୁ ମା’ ଲକ୍ଷ୍ମୀଙ୍କ ସ୍ତୁତି ଗାନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଶିକ୍ଷାବିତ ପ୍ରବୀର କୁମାର ଦୁବେ ଓ ଗାଳ୍ପିକ କାଶୀନାଥ ନନ୍ଦୀ ଉପସ୍ଥିତ ଥିଲେ । ଶେଷରେ ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ମହାରଣା, ଅନୁରାଧା ଦାସ, ମମିତା ନାହାକ, ବନମାଳ ପାତ୍ର, ଉର୍ମିଳା ରାଉତ, ଶକୁନ୍ତଳା ସାହୁ, ଉଷାରାଣୀ ବାରିକ, ମୋନାଲିସା ଗିରି, ଜୟଶ୍ରୀ ବିଶ୍ୱାଳ, ସାଜି ସୁନିଲ, ଅଞ୍ଜଳୀ ନାଥ, ପଙ୍କଜିନୀ ସେଠ, ଲିଲି ବେହେରା, ଗୀତାଞ୍ଜଳି ନନ୍ଦ, ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.