ସାପ କାମୁଡ଼ାରେ ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ରାମଚନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ତଥା ସୁକୁନାଭଟା ଗ୍ରାମର ରାମଚନ୍ଦ୍ର ମିଶ୍ର (୫୫)ଙ୍କ ବୁଧବାର ସାପ କାମୁଡ଼ାରେ ଅକାଳ ବିୟୋଗ ହୋଇଯାଇଛି । ସୂଚନା ମୁତାବକ ବୁଧବାର ଦିନ ୧୧ଟା ସମୟରେ ସେ ବାଡ଼ିରେ ଥିବା ଭୃଶଙ୍ଗ ପତ୍ର ତୋଳିବା ପାଇଁ ଯାଇଥିଲେ । ଏହି ସମୟରେ ଡାହାଣ ଆଙ୍ଗୁଠିରେ ଗୋଟିଏ କଲେର ସାପ ତାଙ୍କୁ କାମୁଡି ଦେଇଥିଲା । ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କୁ ମୋର ଡାହାଣ ହାତ ଆଙ୍ଗୁଠିରେ ସାପ କାମୁଡି ଦେଇଥିବା ଜଣାଇଥିଲେ । ପରିବାର ଲୋକଙ୍କୁ ଜଣାଇଲା ପରେ ଗାଡି ଖୋଜାଖୋଜିରେ କିଛି ସମୟ ବିଳମ୍ବ ହୋଇଯାଇଥିଲା । ତାପରେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକତ୍ସାଧୀନ ଅବସ୍ଥାରେ ଦିନ ୧. ୩୦ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ମୁରିବାହାଲ ଥାନା ଏଏସଆଇ ରବୀନ୍ଦ୍ର କୁମ୍ଭାର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେସ ନଂ.୧୭/୨୦ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ମୃତଦେହ ଗାଁରେ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ଶଶୀଭୂଷଣ ମିଶ୍ର ମୁଖାଗ୍ନି ଦେଇଥିଲେ । ସମଗ୍ର ଅଞ୍ଚଳରେ ସୁପରିଚିତ ଶ୍ରୀ ମିଶ୍ରଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.