ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜ୍ୟୋତିର୍ବିଦ୍ୟା ସମିତିର ସଚେତନତା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଏନ୍ଆଇଟିର ଆଷ୍ଟ୍ରୋନୋଏନ୍ ଆଇଟିଆର କ୍ଲବ ସହଯୋଗରେ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ବକ୍ତାଭାବେ କୋଲକାତା ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ପ୍ରତିଷ୍ଠାନ-ଆଇଜର୍ର ପ୍ରଫେସର ଦିବ୍ୟେନ୍ଦୁ ନନ୍ଦି ଯୋଗଦେଇ ‘ମହାକାଶରେ ଥିବା ନକ୍ଷତ୍ରମାନଙ୍କର ଜୀବନ’ ଶୀର୍ଷକ ଆଲୋଚନା ମାଧ୍ୟମରେ ନକ୍ଷତ୍ର ତାରାମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ସେହିଭଳି ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ ଟିଆଏଫ୍ଆର ମୁମ୍ବାଇର ପ୍ରଫେସର ପ୍ରିୟଙ୍କା ଚତୁର୍ବେଦୀ ମହାକାଶରେ ସୌର ଜଗତ ବାହାରେ ଥିବା ଗ୍ରହମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ଟେଲିସ୍କୋପ୍ ମଧ୍ୟମରେ ସୂର୍ଯ୍ୟଙ୍କ ସମେତ ମହାକାଶକୁ ଅବଲୋକନର ବ୍ୟବସ୍ଥା କରାଯାଇଥିଲା । ଟେଲିସ୍କୋପ୍ରେ ବିଭିନ୍ନ ମହାଜାଗତିକ ବସ୍ତୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଅନ୍ନପୂର୍ଣ୍ଣା ମହନ୍ତି ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଭାଗୀୟ ଛାତ୍ର ଆଦିତ୍ୟ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଏହି ଆଲୋଚନା ମାଧ୍ୟମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ମହାଜାଗତିକ ପ୍ରସଙ୍ଗଜନିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପିକା ଡ. ରଞ୍ଜନାରାଣି ଦାସ, ସନ୍ତୋଷିନୀ ପାତ୍ର, ଅଧ୍ୟାପକ ଡ. ବିଶ୍ୱନାଥ ପରିଜା, ଡ. ନିରଞ୍ଜନ ସାହୁ, ଡ.ସତ୍ୟବ୍ରତ ଶତପଥି, ଡ. ଶୁଭଜ୍ୟୋତି ମହାପାତ୍ର, ଅଶୋକ କୁମାର ମିଞ୍ଜ, ପ୍ରଜ୍ୱଳ ପାଣ୍ଡେ ଏବଂ ଅଭିଜିତ ଜେନାଙ୍କ ସମେତ ସୁଶିଲ ଏକ୍କା, ସୁମିତ ବର୍ନୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀବିଜ୍ଞାନର ମୁଖ୍ୟ ସମୀରସୌରଭ ପୃଷ୍ଟିଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ ।