ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା ଘର : ପ୍ରଶାସନ ପକ୍ଷରୁ ପଲଥିନ ଓ ରନ୍ଧାଖାଦ୍ୟର ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ଅଧିନସ୍ଥ ଘନିପୁର ଗ୍ରାମରେ ମଙ୍ଗଳବାର ରାତ୍ର ୧ ରୁ ୨ଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ର ପ୍ରାୟ ୧୨ଟା ସମୟରେ ଗୋପପାଟଣା ଘନିପୁର ଗ୍ରାମର କୁନୁ ବିବି ସ୍ଵାମୀ ସିରାଜୁ ମହମ୍ମଦ, ରଶ୍ମିତା ବେଗମଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ହେତୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ସମେତ ବାସନକୁସନ, ଧାନଚାଉଳ, ଦରକାରୀ କାଗଜପତ୍ର ଆଦି ଜଳି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ଡେଲାଙ୍ଗରୁ ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ଏହି ଦୁଃଖଦ ଖବର ପାଇ ବୁଧବାର ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଏବିଡ଼ିଓ ପ୍ରଦୀପ୍ତ ନାୟକ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ପାତ୍ର, ସମାଜସେବୀ ଶଶି ଶେଖର ରାୟ ,ରାଜସ୍ୱ ନିରୀକ୍ଷକ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବିପନ୍ନ ପରିବାରକୁ ପଲିଥିନ, ଚୁଡା, ବିସ୍କୁଟ, ରନ୍ଧା ଖାଦ୍ୟ ତିନିଦିନ ପାଇଁ ସହାୟତା ଆଦି ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ତହସିଲଦାରଙ୍କୁ ଜଣାଇବେ ବିଡ଼ିଓ ଶ୍ରୀ ଷଡଙ୍ଗୀ ବୋଲି ଆଶ୍ଵାସନା ଦେଇଥିଲେ ।

Leave A Reply

Your email address will not be published.