jayashree

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

  • ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ହେଲା ସଫଳ ଅସ୍ତ୍ରୋପଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ଖସିପଡ଼ିବା ବେଳେ ନାବାଳକଙ୍କ ମଳଦ୍ୱାରରେ ଶାବଳ ପଶି ଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ତଳସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ ଗତକାଲି ସକାଳେ ତଳସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ । ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲେ । ଏହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଛିଡା ହୋଇଥିଲେ । ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିଯିବାରୁ ଶାବଳଟି ଶକ୍ତିଙ୍କ ମଳଦ୍ୱାରରେ ପଶିଯାଇଥିବା ଜଣାପଡ଼ିଛି । ଘଟଣା ଘଟିବାର ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିଙ୍କୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବ୍ରହ୍ମପୁର ବଡ଼ମେଡ଼ିକାଲରେ ଏବେ ଏହି ଯୁବକଙ୍କ ବିପଦପୂର୍ଣ୍ଣ ଜୀବନରୁ ରକ୍ଷା କରାଯାଇ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି ।

ପ୍ରକାଶ ଯୋଗ୍ୟଯେ, ଏମ୍‌କେସିଜିରେ ଏହା ପ୍ରଥମ ଅସ୍ତ୍ରୋପଚାର ବୋଲି କୁହାଯାଇଛି । ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅସ୍ତ୍ରୋପଚାର ପରେ ଏହି ଶାବଳକୁ ସୁରକ୍ଷିତ ଭାବେ ବାହାର କରିବାରେ ସକ୍ଷମ ହୋଇଛନ୍ତି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ଡାକ୍ତରୀ ଟିମ୍ ।

ବ୍ରହ୍ମପୁର ବଡ଼ମେଡ଼ିକାଲରେ ଏବେ ଏହି ସଫଳତାର ସହ ଅସ୍ତ୍ରୋପଚାର ଯୋଗୁଁ ପରିବାର ଲୋକଙ୍କୁ ବିରାଟ ଆଶ୍ୱସ୍ଥି ମିଳିଛି । ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌ଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଜଣାଇଥିବା ସାଂଗକୁ ତାଙ୍କର ଏହି ସଫଳତା ନେଇ ଚାରିଆଡେ ଚର୍ଚ୍ଚାର ସହ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

ସେପଟେ ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ୱାରା କିଭଳି କରାଯାଉଥିଲା, କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ, ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ଏହାର ତଦନ୍ତ ହେବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.