ବିନା ଡ଼ାକ୍ତରରେ ନର୍ସ ଦ୍ୱାରା ପ୍ରସବ : ଛୁଆ ଜନ୍ମ ହେବାର ୫ ଘଣ୍ଟା ପରେ ମା’ର ମୃତ୍ୟୁ : ଚିକିତ୍ସା ଅବହେଳା ଅଭିଯୋଗ

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣାରେ ନର୍ସଙ୍କ ଦ୍ୱାରା ପ୍ରସବ ପରେ ଛୁଆ ଜନ୍ମ ଦେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ନର୍ସଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ମତେ ତୁଷୁରା ସହରର ରାମ ପଟ୍ଟନାୟକଙ୍କ ସ୍ତ୍ରୀ ସୁନିତା ପଟ୍ଟନାୟକ (୩୦)ଙ୍କୁ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ  ପ୍ରସବ ବେଦନା ହେବାରୁ ତାଙ୍କୁ ତୁଷୁରା ଡ଼ାକ୍ତରଖାନକୁ ଆଣିଥିଲେ । ଡ଼ାକ୍ତରଖାନାରେ ଡ଼ାକ୍ତର ଛୁଟିରେ ଥିବାରୁ ଉପସ୍ଥିତ ଥିବା ନର୍ସ ମାନେ ସ୍ୱାଭାବିକ ପ୍ରସବ କରାଯିବା ବୋଲି କହିବାରୁ ସୁନୀତାଙ୍କୁ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଏହାପରେ ସକାଳ ପ୍ରାୟ ୧୨ଟାରେ ସୁନୀତା ଏକ ଝିଅକୁ ଜନ୍ମ ଦେଇଥିଲେ । ଏହାର ଏକ ଘଣ୍ଟା ପରେ ସୁନୀତାଙ୍କୁ ପରିବାର ଲୋକ ଦେଖିବା ପାଇଁ ଭିତରକୁ ଯାଇଥିଲେ । ଭିତରକୁ ଗଲା ପରେ ସୁନୀତାଙ୍କ ରକ୍ତଶ୍ରବ ହେଉଥିବା ଜାଣିବାକୁ ପାଇ କାର୍ୟ୍ୟରତ ନର୍ସଙ୍କୁ କହିଥିଲେ । ଏହାପରେ ନର୍ସ କହିଲେ ଯେ, ଅତ୍ୟଧିକ ରକ୍ତଶ୍ରାବ ହେଉଛି । ତେଣୁ ବଲାଙ୍ଗିର ନେଇଯାଆନ୍ତୁ । ଏହା କହିବାର ପ୍ରାୟ ୨ ଘଣ୍ଟା ପରେ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ । କିଛି ଉପାୟ ନପାଇ ପରିବାର ଲୋକେ ତୁରନ୍ତ ବଲାଙ୍ଗିର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ପହଂଚିବା ପରେ ଡ଼ାକ୍ତର କହିଥିଲେ ଯେ ପ୍ରଚୂର ପରିବାଣରେ ରକ୍ତଶ୍ରାବ ହୋଇଯାଇଛି । ଆଉ ଆମେ କିଛି କରି ପାରିବୁ ନାହିଁ । ଏହାର କିଛି ସମୟ ପରେ ସୁନୀତାଙ୍କ ମୃତ୍ୟୁ ହୋଇଥିଲା । ମୃତ ସୁନୀତାର ନବଜାତ କନ୍ୟା ସହ ଆଉ ଗୋଟିଏ ଝିଅ ରହିଛି । ରକ୍ତଶ୍ରାବ ହେଉଥିବା ଜାଣି ମଧ୍ୟ ୨ ଘଂଟା ବିଳମ୍ବରେ ବଲାଙ୍ଗିର ପଠାଇବା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ରାମ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଡ଼ାକ୍ତରଙ୍କ ବିନା ଉପସ୍ଥିତିରେ କିପରି ଜଣେ ପ୍ରସବ ହେବାକୁ ଥିବା ମହିଳାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରି ଜଣେ ମହିଳାର ଜୀବନ ସହ ଖେଳ ଖେଳିଲେ ବୋଳି ଜନସାଧାରଣରେ ଚର୍ଚ୍ଚାର ବିଷୟବସ୍ତୁ ପାଳଟିଛି । ପ୍ରସବ କରି ଟଙ୍କା ନେବା ଘଟଣା ତୁଷୁରା ଡ଼ାକ୍ତରଖାନା ସବୁ ସମୟରେ ଚର୍ଚ୍ଚିତ ଥାଏ । ତେବେ ବିନା ଡ଼ାକ୍ତରରେ ପ୍ରସବ କରାଇବା ଏହା ଟଙ୍କା ଲୋଭ ପାଇଁ ନୁହେଁ ତ’ ବୋଲି ସାଧାରଣରେ ପ୍ରଶ୍‌ଶ୍ନ ଉଠୁଛି । ଅନ୍ୟପକ୍ଷରେ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ରୋଗୀ ରେଜିଷ୍ଟରରେ ଏଣ୍ଟ୍ରି ନକରିବାର କାରଣ କ’ଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରସବ ସମୟରେ ସୁପ୍ରଭା ନାଗ, ସ୍ୱାଧୀନବାଳା ଦେଇ ଓ ବର୍ଷାରାଣୀ ଛତ୍ରିୟା  ନର୍ସ ଦାୟିତ୍ୱରେ ଥିଲେ । ଏ ନେଇ ଡ଼ାକ୍ତରଖାନା ଦାୟିତ୍ୱରେ ଥିବା ଫାରମାସିଷ୍ଟ ଗୋପେଶ୍ୱର ସାହାଣୀ କହନ୍ତି ଯେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ କି ନର୍ସମାନେ ମୋତେ ଜଣାଇ ନାହାନ୍ତି ଏବଂ ସେମାନେ ତାଙ୍କ ମର୍ଜିରେ କାର୍ୟ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ହେଲା ଡ଼ାକ୍ତର ଛୁଟିରେ ଥିବାବେଳେ କେବଳ ଜଣେ ଫାର୍ମାସିଷ୍ଟ ଭରସାରେ ତୁଷୁରା ଚିକିତ୍ସାଳୟ ଚାଲିବା ଘଟଣା ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଥିରୁ ଜଣାପଡ଼ୁଛି ଯେ, ନର୍ସମାନଙ୍କ ମନଇଚ୍ଛା କାର୍ୟ୍ୟ ଯୋଗୁଁ ଦୁଇ ଛୁଆ ମା’କୁ ହରାଇଲେ । ଅନ୍ୟପକ୍ଷରେ ପରିବାର ଲୋକେ ସୁନିତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି । ଏ ନେଇ ଗୁଡ଼ଭେଲା ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ସୁମୀତ ମେହେର କହନ୍ତି ଯେ, ମୁଁ ଘଟଣାର ତଦନ୍ତ କରୁଛି, ଯଦି ଘଟଣାଟି ସତ୍ୟ ହୋଇଛି ତେବେ ଦାୟୀତ୍ୱରେ ଥିବା ନର୍ସଙ୍କ ପ୍ରତି ଦୃଢ଼ କାର୍ୟ୍ୟନୁଷ୍ଠାନ  ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଅବହେଲା କରିଥିବା ନର୍ସମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.