ବଜାରରେ ନାହିଁ ନଥିବା ୟୁରିଆ ସାର ଅଭାବ : ଚାଷୀ ହତାଶ

ଚୁଡାପାଲି, ୧/୮ (ଦେବରାଜ ନାହାକ) : ବଲାଙ୍ଗିର ସଦର ବ୍ଲକର ଚାଷୀବର୍ଗ ଚାଷ କାମରେ ଏବେ ଜୋରସୋର ଲାଗିଛନ୍ତି । ପ୍ରାୟତଃ ଗ୍ରାମର ଧାନରୁଆ ବିହୁଡା ସରିବାକୁ ବସିଲାଣି । ବିଗତ ଦିନମାନଙ୍କରେ ଠିକ୍ ସମୟରେ ଠିକ୍ ବର୍ଷା ହୋଇଥିବା ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଶ୍ରାବଣରେ ଚାଷ କାର୍ଯ୍ୟ କରୁଥିବାର ଜଣା ପଡିଛି । ବର୍ତ୍ତମାନ ଚାଷୀ ତାର ଧାନଗଛର ବୃଦ୍ଧି ପାଇଁ ୟୁରିଆ ସାର ଦେବାର ସମୟ ଆସିଥିବା ବେଳେ ସାର ମିଳୁନଥିବାର ଗୁରୁତର ଅଭିଯୋଗ ଆସୁଛି । ଧାନଚାଷର ମଧ୍ୟବର୍ତ୍ତି ସମୟରେ ୟୁରିଆ ସାରର ବହୁଳ ପ୍ରୟୋଗ ରହିଥିବା ଯୋଗୁଁ ପ୍ରତ୍ୟହ ଚାଷୀ ଏହାକୁ ବ୍ୟବହାର କରିଥାନ୍ତି । ଏବେ କିନ୍ତୁ ୟୁରିଆ ସାରର ଅଭାବ, କାଁ ଭାଁ ଖୁଚୁରା କିଏ ବିକ୍ରି କରୁଛନ୍ତି, ତାହାପୁଣି ଚଢା ଦରରେ । ୟୁରିଆର ପ୍ରକୃତ ମୂଲ୍ୟ ୨୬୬.୫୦ ରହିଥିବା ବେଳେ ଏହାକୁ ୪୫୦ ଟଙ୍କାରେ ଚାଷୀ କିଣୁ ଥିବାର ଅଭିଯେଅଗ ଆସୁଛି । କୃଷି ବିଭାଗ କେବଳ ସାର ଦୋକାନମାନଙ୍କରେ ଷ୍ଟକ୍ ଏବଂ ବିତରଣ ଦେଖି ଚୁପ । ପ୍ରକୃତରେ ବିରତଣ ହୋଇଥିବା ସାର ଚାଷୀଙ୍କ ପାଖରେ ପହଞ୍ଚôଛି କିନାହିଁ ତାହା ଦେଖିବାକୁ କାହାରି ସମୟ ନାହିଁ । ଚାଷୀ ଅଭିଯୋଗ କରୁଛନ୍ତି ମଇ ଓ ଜୁନ ମାସରେ ଟ୍ରକ ଟ୍ରକ ୟୁରିଆ ସାର ବେପାରୀମାନଙ୍କ ପାଖକୁ ଆସିଛି, ସେତେବେଳେ ଚାଷୀ ସାର କିଣି ନାହାନ୍ତି ତ ସେ ସବୁ ସାର ଗଲା କୁଆଡେ? ନାମକୁ ମାତ୍ର ଦୋକାନ ପାଖରେ ଗୋଦାମ ରହିଛି, ପ୍ରକୃତରେ ଦେଖିବାକୁ ଗଲେ ଉପାନ୍ତ ଅଂଚଳର ବିଭିନ୍ନ ଗ୍ରାମର ଉକ୍ତ ବେପାରୀଙ୍କ ନିର୍ଭରଯୋଗ୍ୟ ଲୋକ ସବୁ ସାର ମହଜୁଦ ରଖିଥିବାର ଅଭିଯୋଗ ହେଉଛି । ଆହୁରି ଗୁରୁତର ଅଭିଯୋଗ ଚାଷୀ ମହଳରୁ ଆସୁଛି ଯେ, କିଛି ବେପାରୀ ଗାଁ ଗହଳରୁ ଗରିବ ଚାଷୀଙ୍କ ନାମରେ ସାର କିଣି, ସେମାନେ ନିଜ ନିଜ ଗ୍ରାମରେ ତାକୁ ଅନ୍ୟ ଲୋକଙ୍କ ମାଧ୍ୟମରେ ବିକ୍ରି କରୁଛନ୍ତି । ବାସ୍ତବରେ ସାରର କୃତ୍ରିମ ଅଭାବ କେଉଁଠି ରହିଛି, ଏହାକୁ ଦେଖିବା କୃଷି ବିଭାଗର ଦାୟିତ୍ୱ ରହିଥିବା ବେଳେ ସବୁ କାର୍ଯ୍ୟ କାଗଜ କଲମରେ ଠିକ କରୁଥିବାର ଉତ୍ତର ଆସୁଛି । ଏବେ ଗାଁ ମାନଙ୍କରେ ସବୁଠି ଖୁଚୁରା ସାର ଦୋକାନ ରହିଛି । ଲାଇସେନ୍ସ ପ୍ରାପ୍ତ ସାର ଦୋକାନୀ କମ୍ ଏମାନଙ୍କ ମିଳିତ କାରନାମାରେ ୟୁରିଆର ଅଭାବ ଦେଖା ଯାଇଛି । ଜିଲ୍ଲା କୃଷି ବିଭାଗର ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚାଷୀଙ୍କ ଅବସ୍ଥା ସୁଧାରିବାରେ ସହାୟକ ହେବା ପାଇଁ ଦାବୀ ହେଉଛି । (ଟେଷ୍ଟ)

Leave A Reply

Your email address will not be published.