କୋଭିଡ-୧୯ ସଂପର୍କିତ ପିଆଇବି ୱେବିନାର

କରୋନାକୁ ପ୍ରତିହତ କରିବା ପାଇଁ ସତର୍କତା ଓ ସଚେତନତା ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ
ଭୁବନେଶ୍ୱର, (ପିଆଇବି) : କରୋନା ପାଇଁ ଅଧିକ ଆତଙ୍କିତ ନ ହୋଇ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ଅନୁସରଣ କରିବା ସହ ଭୂତାଣୁ ସଂପର୍କରେ ଜନସଚେତନତା ହିଁ ସମାଜକୁ ସୁସ୍ଥ ରଖିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଅନୁଷ୍ଠିତ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ବ୍ୟକ୍ତ କରିଛନନ୍ତି । ଏଥିରେ ଅଂଶଗ୍ରହଣ କରି ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟ କୁଳପତି ତଥା ଏମ୍ସ, ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ର କହିଲେ ଯେ, ମୌଳିକତଃ କୋଭିଡ଼-୧୯ ଏକ ଶ୍ୱାସକି୍ରୟା ସଂକ୍ରମଣ ଜନିତ ରୋଗ ହେଲେ ମଧ୍ୟ ରୋଗର ସଂକ୍ରମଣ ବ୍ୟାପକତା ନେଇ ଗବେଷଣା ଦ୍ୱାରା ନୂତନ ତଥ୍ୟମାନ ଆସୁଛି । ଏହା ବାୟୁବାହିତ ବୋଲି ତଥ୍ୟ ଆସିବା ପରେ ସାମାଜିକ ଦୂରତ୍ୱ ଓ ମହତ୍ୱ ଅଧିକ ବୃଦ୍ଧି ପାଇଛି । ତେବେ ଶତକଡ଼ା ୮୦ ଭାଗ ରୋଗୀ ସାମାନ୍ୟ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଥିବାରୁ ଭୟର କୌଣସି କାରଣ ନାହିଁ । ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ଅବସ୍ଥାରେ ଥିବା ରୋଗୀଙ୍କ ନିମନ୍ତେ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦେଶୀୟ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ପ୍ରୟୋଗ କଲେ ମଧ୍ୟ ଏହାକୁ ଚିକିତ୍ସାର ଔଷଧ ଭାବେ ବିବେଚନା କରାଯିବା ଅନୁଚିତ । କୋଭିଡ଼ ଭ୍ୟାକ୍ସିନ୍ କେବେ ଆସିବ ତାହା ନିର୍ଦ୍ଧିଷ୍ଟ ଭାବେ କହିହେବ ନାହିଁ । ସେପର୍ଯ୍ୟନ୍ତ ସତର୍କତା ଓ ସଚେତନତା ହିଁ ଏହାର ନିର୍ଦ୍ଧିଷ୍ଟ ଉତ୍ତର ବୋଲି ସେ କହିଛନ୍ତି । ଏଥିରେ ଅଂଶଗ୍ରହଣ କରି ଭୁବନେଶ୍ୱର ସ୍ଥିତ ଆଂଚଳିକ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍- ଆର୍ଏମ୍ଆର୍ସି) ନିଦେ୍ର୍ଧଶକ ଡ. ସଂଘମିତ୍ରା ପତି କହିଥିଲେ ଯେ, କୋଭିଡ଼-୧୯ ନେଇ କୌଣସି ଅଯଥା ଭୟର ବାତାବରଣ ସୃଷ୍ଟି ହେବା ଅନୁଚିତ । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଏହି ତିନୋଟି ପଦ୍ଧତି ଅନୁସରଣ କରି ସଂକ୍ରମଣ ଦୂର କରିବା ନେଇ ପ୍ରୟାସ ଜାରି ରହିଛି । ଓଡ଼ିଶାରେ କୋଭିଡ଼ ମାମଲା ବୃଦ୍ଧି ପାଇବା ସହ ପରୀକ୍ଷା ଓ ଚିହ୍ନଟ ପ୍ରକି୍ରୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପରୀକ୍ଷା ସୁବିଧା ରହିଛି । ପରୀକ୍ଷା ଭିତ୍ତିଭୂମିରେ ଦ୍ରୁତ ପ୍ରଗତି ଘଟୁଥିବା ଯୋଗୁଁ ଭବିଷ୍ରତରେ ଅଧିକରୁ ଅଧିକ ପରୀକ୍ଷା ମଧ୍ୟ କରାଯାଇ ପାରିବ । ଜନସାଧାରଣ ସେ ଦୃଷ୍ଟିରୁ ଅଯଥା ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପିଆଇବି ମହାନିଦେ୍ର୍ଧଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଆଂଚଳିକ କ୍ଷେତ୍ର ପ୍ରଚାର ବୁ୍ୟରୋର ନିଦେ୍ର୍ଧଶକ ଅଖିଳ କୁମାର ମିଶ୍ର ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ବଳଭଦ୍ର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ କୁମାର ଚୌଧୁରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହାୟକ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ବୈଷୟିକ ସହଯୋଗ କରିଥିଲେ ।

Leave A Reply

Your email address will not be published.