ମମତାଙ୍କୁ ଆଉ ଏକ ଝଟ୍‌କା ଲାଗିଲା : ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବିପର୍ୟ୍ୟସ୍ତ ହୋଇପଡିଛି । ଶୁକ୍ରବାର ଦିନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନକର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ତାଙ୍କ ଗଡ଼ ସଂରକ୍ଷଣ କରିବା ଏକ ଆହ୍‌ହ୍ୱାନ ପାଲଟିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବା ଅତ୍ୟନ୍ତ ଗୌରବର ବିଷୟ । ଏହି ସୁଯୋଗ ପାଇଥିବାରୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

ରାଜୀବ ବାନାର୍ଜୀ ଗତ କିଛି କ୍ୟାବିନେଟ ବୈଠକରେ ଯୋଗ ଦେଇ ନଥିଲେ, ଯାହା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ସେ ଅବଶ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ତଥାପି ସେ ଟିଏମସିର ସଦସ୍ୟ ରହିଛନ୍ତି ।

ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନେତାଙ୍କ ପଦରୁ ଏବଂ ଦଳରୁ ଇସ୍ତଫା ଦେବା ପ୍ରକ୍ରିୟା ଚାଲିଛି । ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବଡ ନେତା ବିଜେପିରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଦଳର ନେତାମାନଙ୍କୁ ଏକଜୁଟ ରଖିବା ଏକ ଆହ୍‌ହ୍ୱାନ ପାଲଟିଛି । ଏଥି ସହ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି କଠିନ ପରିଶ୍ରମ କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସପ୍ତାହରେ ବଙ୍ଗଳା ଗସ୍ତ କରିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଅନେକ ନେତା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.