- ବବିତା ମହାପାତ୍ର
କୋଉଠୁ ମିଳିବ ସେ ଆକାଶ ଭଳି
ସାଦା କାଗଜ
ଯାହା ପିଠିରେ ଲେଖାଥିବ
ବାସ ସ୍ଥାନର ଠିକଣା ?
କେଉଁଠୁ ଅବା ଯୋଗାଡିହେବ
ଅମଣିଷଙ୍କ ଭିଡ଼ ଭିତରୁ
ସେ ମଣିଷମାନଙ୍କୁ ଯେଉଁମାନେ
ଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ?
ଛାତି ଭିତରୁ ନାକପୁଡା ଦେଇ
ବାହାରି ପଡୁଥିବା ସଜଳ ଆତ୍ମୀୟତା
ହୁଏତ ଚାପି ହେଇ ରହିଯାଇଥିବ
ତିନି ମୁଣ୍ଡିଆ ସିଂହ ଥିବା
ଚିଆର୍ର ବାଁ ଗୋଡ଼ ତଳେ ।
ଆଖି ଭିତରେ ଉଛୁଳି ପଡୁଥିବ
ସମୁଦ୍ରେ ହବ ନୀରବତା !
ସ୍ୱପ୍ନମାନେ କେତେବେଳୁ ଉଭାନ ,
ଦେହଟିଏ କି ଦେଶଟିଏ ବେଳ ପଡିଲେ
କେମିତି ପର ହେଇଯାଏ କେଜାଣି ?
ରକ୍ତଛିଟାରେ ଲାଲ ସକାଳ
ତାଳି ମାରି ଉଠାଏ ,
ଜୀବନ ଉଠେ, ଶୂନ୍ୟତାରେ ମୁହଁ ଦେଖେ –
ଆଃ ! କେମିତି ଗୋଟେ ନିର୍ବାକ ନିର୍ବୋଧ ପଣ
ଝଲମଲ କରେ ମୁହଁ ସାରା ।
ଦେହ ସାରା ଖଣ୍ଡ ଖଣ୍ଡ ହେଇ ଓହଳିଥାଏ
ଦେଶର ମାନଚିତ୍ର ,
ତା’ ଭିତର ଦେଇ ମଝିରେ ମଝିରେ ଉଙ୍କି ମାରେ
ପିଲାଙ୍କ ଦେହସାରା ନିର୍ଦ୍ଦୟରେ ରାତି ଅନ୍ଧାରରେ
ଅଙ୍କା ଯାଇଥିବା ବାଦଶାହୀ ଚିତ୍ର ।
ହାତ ମୁଠାରୁ ଲେଉଟି ଯାଏ
ଇପ୍ସିତ ସନ୍ଧ୍ୟା, ବେଳକୁ ବେଳ
ପାଦ ତଳୁ ମାଟି ଧସି ଧସି ଯାଏ ।
ଜମାଟ ବନ୍ଧା ଦୁଃଖ ସହ ବର୍ଷ ବର୍ଷରୁ
ଆୟୋଜିତ ଜୀବନକୁ ଗଣ୍ଠିଳି କରି
ନାଁ ନଜଣା କେଉଁ ଏକ ସହରକୁ
ଫେରିବାକୁ ହୁଏ ।
ଦେଶ ବଢୁଥାଏ ଆଗକୁ ଆଗକୁ
ଶାହିନ୍ବାଗ୍ରେ ସଢୁଥାଏ ଛାତି ଭିତରୁ
ଉଛୁଳି ପଡୁଥିବା ସବୁତକ କୋହ ।
ମାଆ ଟିଏ ଛୁଆକୁ ଶୁଆଇଦେଇ ଚିତାରେ
ନିଜ ପାଦତଳେ ମାଟି ଚାଖଣ୍ଡକ ଦରାଣ୍ଡୁ ଥାଏ ।।