ୟୁପିର ୧୪ଟି ସହରରେ ୭୦୦ ବୈଦ୍ୟୁତିକ ବସ୍ ଚାଲିବ

ଲଖନଉ : ବୃଦ୍ଧି ପାଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ପରିବେଶର ଉନ୍ନତି ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ୧୪ଟି ସହରରେ ବୈଦ୍ୟୁତିକ ବସ୍ ଚଳାଇବାକୁ ଯାଉଛନ୍ତି । ରାଜ୍ୟବାସୀଙ୍କୁ ଆରାମଦାୟକ ତଥା ଶସ୍ତା ଭ୍ରମଣ ସୁବିଧା ଯୋଗାଇବା ପାଇଁ ଏହି ବସ୍ ଗୁଡିକର ଭଡା ସାଧାରଣ ବସ୍ ସହିତ ସମାନ ରଖାଯାଇଛି । ମଙ୍ଗଳବାର ରାଜଧାନୀରେ ନଗର ଉନ୍ନୟନ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଏହା ଘୋଷଣା କରିଛନ୍ତି ।

୧୦୯୦ କ୍ରସର ଛକ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ସେ କହିଛନ୍ତି ଯେ, ସହରାଂଚଳ ପରିବହନ ସେବାକୁ ଆଧୁନିକୀକରଣ କରିବା ଏବଂ ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଯୋଗାଇବା ପାଇଁ ସରକାର ଦ୍ରୁତ ଉଦ୍ୟମ କରୁଛନ୍ତି । ଲଖ୍‌ନଉ ସମେତ ରାଜ୍ୟର ଅନ୍ୟ ୧୪ଟି ପ୍ରମୁଖ ସହରରେ ୭୦୦ଟି ବୈଦ୍ୟୁତିକ ବସ୍ ଚଳାଚଳ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ସହରାଞ୍ଚଳ ପରିବହନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଦ୍ରୁତ ଗତିରେ କାର୍ୟ୍ୟ ଶେଷ କରୁଛନ୍ତି । ଲଖ୍‌ନଉରେ ଏହି ବସ୍ ଗୁଡିକୁ ପରୀକ୍ଷାମୂଳକ ଭାବେ ଏକ ମାସ ପାଇଁ ଆରମ୍ଭ ହୋଇଛି ।

ସହରାଞ୍ଚଳ ଉନ୍ନୟନ ନିର୍ଦ୍ଦେଶାଳୟର ଯୁଗ୍ମ ସଚିବ ଅଜିତ ସିଂ କହିଛନ୍ତି ଯେ, ବିଭାଗୀୟ କମିଶନରଙ୍କ ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ବୈଦ୍ୟୁତିକ ବସ୍ ଚଳାଚଳ ଆରମ୍ଭ ହେବ । ଅନ୍ୟ ରାଜ୍ୟ ତୁଳନାରେ ଏତେ ସଂଖ୍ୟକ ବୈଦ୍ୟୁତିକ ବସ୍ ଚଳାଉଥିବା ୟୁପି ପ୍ରଥମ ରାଜ୍ୟ ହେବ । ରାଜ୍ୟ ସରକାରଙ୍କ ଦ୍ୱାରା ବୈଦ୍ୟୁତିକ ବସ୍ ଚଳାଚଳ ଯୋଜନାରେ ୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Leave A Reply

Your email address will not be published.