jayashree

ଗପ : କାଳ ବୈଶାଖୀ

  • ବିଜୟ ପ୍ରଧାନ

ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ ଗଛମାନେ ତାଳି ମାରି ହସୁଥିଲା ବେଳେ ଘର ସାମ୍ନା ହତାରେ ଆକାଶଛୁଆଁ ଇଉକାଲିପଟାସ ଗଛ ଚାରୋଟି ଏମିତି ଢଳି ଢଳି ନାଚୁଥିଲେ ଯେମିତି ବାହାଘରବେଳେ ବରାତି ଡିଜେରେ ନାଗିନ ନାଚ କରୁଛନ୍ତି।

ହଠାତ ବାଡିର ଦୁଇଟି ଭଣ୍ଡା ଥିବା କଦଳୀ ଗଛଙ୍କ ଅଣ୍ଟା ଭାଙ୍ଗିଗଲା ନାଚୁ ନାଚୁ। ଭଣ୍ଡା ଭାର ସମ୍ଭାଳୁ ସମ୍ଭାଳୁ ନା ପବନରେ ବେତାଳିଆ ନାଚୁ ନାଚୁ କେଜାଣି ! ପବନରେ ତଥାପି ଶୁଣାଯାଉଥାଏ ଟିଣ ଆଜବେଷ୍ଟସର କର୍କଶ ତାଳିମାଡ଼।
ଚଉଦିଗର ଅନ୍ଧାର କ୍ରମେ ଟିକେ ଫର୍ଚ୍ଚା ଦିଶିଲା, ଟୁପଟାପ ବର୍ଷା ପଡିବାରୁ। ଆକାଶ ଫର୍ଚ୍ଚା ଦିଶୁ ଦିଶୁ ବର୍ଷା ଘନେଇଲା। ପ୍ରବଳୁ ପ୍ରବଳତର। ମାଟି ଓ ଆକାଶ ଏକାକାର।

ଇତି ମଧ୍ୟରେ ପବନ ଉଡ଼େଇ ସାରିଥାଏ କାହାକାହା ଘରର ଛାତଉପରେ ଢଙ୍କା ଚିରା ତାରପୋଲିନ ଟୁକୁରା ମାନ, ଖପର ଓ ଚାଳ। ନଡ଼ିଆ ବାହୁଙ୍ଗା, ସଜନା ଡାଳ, ଠାଏ ଠାଏ ଗୋଟେ ଦୁଇଟି ଇଲେକ୍ଟ୍ରିକ ଖୁଣ୍ଟବି ହାର ମାନି ମୁଣ୍ଡ ନୁଏଇଁ ଦେଇଥାନ୍ତି। ବାଡ଼ି ପଛପଟ ମହୁଲ ଗଛଡାଳରୁ ଉଭାନ କିଛି ଚଢେଇ ବସା।

ଭିଜିଭିଜି ନିଜର ଉଷ୍ମତା ମାପୁଥାନ୍ତି ଦୁଆରରେ ତିନିଦିନ ଆଗରୁ ଗଦାହୋଇ ଶୁଖିବା ଆଶାରେ ତାରପୋଲିନ ଢଙ୍କା ପଡ଼ୋଶୀଙ୍କ ଧାନ, ଛୋଟମୋଟ ପର୍ବତ ସମାନ। କ୍ଷେତରେ ଅକଟା ଧାନଗଛ ଶୋଇସାରିଥାନ୍ତି ମାଟିରେ।
ବର୍ଷାର ତାଣ୍ଡବଲୀଳା ମାତ୍ର ଦୁଇ ଘଣ୍ଟାର, ଲଗାତାର।

ଏଯାଏ ସଜାଡ଼ି ପାରି ନ ଥିବା ଖପର ଘର ମାନଙ୍କରେ ଆଣ୍ଠୁଏ ପାଣି, ଉଜାଣି। ଘରଣୀଏ ଝାଡ଼ୁ ମାରି ତାକୁ ଦାଣ୍ଡମୁହାଁ କରୁକରୁ ବତୁରିଗଲେଣି ଗୋଟାପଣେ। ବର୍ଷା ଟିକେ କମିଲା ପରେ ଛତା ଧରି କୁନି ପିଲାଏ ଗାଁ ଦାଣ୍ଡରେ ହାଜର। ଦାଣ୍ଡର ପାଣି ସୁଅରେ ହଲି ଦୋହଲି ଭାସୁଛନ୍ତି କାଗଜର ଡଙ୍ଗା ମାନ। ଅକାମୀ ଯେତେ ମାଆ ମାନଙ୍କର ଆକଟ,ବାରଣ।

ଗାଁରେ ହୋ ହଲ୍ଲା। ଆର ସାହିର କାହାର କାନ୍ଥ ଧସିଗଲା। ମା ଝିଅ କାନ୍ଥ ତଳେ ଚାପି ହେଇଗଲେ। ଦମକଳଵାଲା ଘଣ୍ଟି ବଜାଇ ପହଁଚିଲେ। କାନ୍ଥ ଆଡ଼େଇ ବାହାର କଲେ। ଡାକ୍ତରଖାନା ପଠେଇଲେ। କ୍ଷତାକ୍ତ ମା ହରାଇଲା ନିଜ ଦୁଇ ଗୋଡ଼ ସହ ଯୁଆନ ଝିଅ।
ଗୋଡ଼ କଟାହେବାକୁ ମାକୁ ନିଆଗଲା ସହରର ଡାକ୍ତରଖାନାକୁ। ପରୀକ୍ଷାରେ କୁଆଡେ କୋଭିଡ ପଜିଟିଭ ବାହାରିଲା ମାର। ଝିଅକୁ ବି ପଠାଗଲା ପୋଷ୍ଟମର୍ଟେମ ପାଇଁ ସହରର ସ୍ୱତନ୍ତ୍ର ଡାକ୍ତରଖାନାକୁ। କାଳ ବୈଶାଖୀରେ ଲାଇନ ତାର ଛିଣ୍ଡିଥିଲା ବୋଲି ଗାଁରୁ ସହର ଲାଇନ କୋଉଠି ବି ନଥିଲା ବୋଲି କହିଲେ। ପୋଷ୍ଟମର୍ଟେମ ହେଉ ହେଉ ତିନିଦିନ ଲାଗିଗଲା ଲାସକୁ। ହେଲେ କୋଭିଡ ସଂକ୍ରମଣ ଭୟରେ ପୋଲିସକୁ ହସ୍ତାନ୍ତର କରା ନ ହୋଇ ଲାସକୁ ଡାକ୍ତରଖାନାରେ କୋଭିଡ ସଂକ୍ରମିତ ମୃତବ୍ୟକ୍ତିଙ୍କ ସହ ପୋଡ଼ି ଦିଆଗଲା।

ମା’ର ଗୋଡ କଟା ହେଲା କି ନ ହେଲା ଆଉ ଜଣା ପଡ଼ିଲାନି କୋଭିଡ ହସ୍ପିଟାଲରେ। କିଛିଦିନ ପରେ ତାକୁ ବି ମୃତ ଘୋଷଣା କଲେ ସରକାର ଓ କୋଭିଡ ସମ୍ମାନ ସହ ନିଜେ ପୋଡ଼ିଲେ।

ବିଜୁ ପକ୍କାଘର କାନ୍ଥ। ଗାଁ ଲୋକଙ୍କ ନାଲିସ। ଠିକାଦାର, ୱାର୍ଡ ମେମ୍ବର ସରପଞ୍ଚ ଠୁଁ ବିଡ଼ିଓ ଇଞ୍ଜିନିୟର ଯାଏଁ ସଭିଏଁ ଥରହର। ବିଧାୟକଙ୍କ ପ୍ରତିଶ୍ରୁତି, କ୍ଷତିପୂରଣ ମିଳିବ ପକ୍କା।

କାଳ ବୈଶାଖୀରେ ଉଜୁଡି ଯାଇଥିବା ସଂସାରରେ ଶୋକଜରଜର ଏକମାତ୍ର ଝିଅର ବାପ ବୁଝି ପାରୁ ନ ଥିଲା କାହାର କ୍ଷତିପୂରଣ ମିଳିବ !!

ମୋ.ନଂ. : ୯୯୩୮୩୫୭୬୮୪

Leave A Reply

Your email address will not be published.