ସମଲେଶ୍ୱର ମନ୍ଦିର ଭୁଷୁଡିବା ୫ ବର୍ଷ ପୁରିଲା : ଅଧାରେ ଅଟକି ରହିଛି ଉନ୍ନତିକରଣ

  • ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ । ଏହି ମନ୍ଦିରଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ । ଏହି ମନ୍ଦିର ଏବେ ପ୍ରାୟ ୧୧୦ ବର୍ଷରେ ପଦାର୍ପଣ କରିଛି । ଗତ କିଛିବର୍ଷ ତଳେ ୨୧.୧୦.୨୦୨୧ ଦିନ ମନ୍ଦିର ଭୁଷୁଡି ପଡିଥିଲା । ଏନେଇ ଭକ୍ତ ଓ ବୁଦ୍ଧିଜୀବୀ ଏବଂ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ କରିଥିଲେ । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ଜାନୁୟାରୀ ମାସ ୨୦୨୩ ରେ ଶିଳାନ୍ୟାସ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ପାଇଁ ଡିପିଆର୍‌ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ତତ୍‌ ସଙ୍ଗେ ଜାଗା ଚିହ୍ନଟ ଓ ଡିଜାଇନ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ବଲାଙ୍ଗିର ଜନସାଧାରଣଙ୍କ ମନରେ ଖୁସିର ଲହର ଖେଳି ଯାଇଥିଲା । କିଛିଦିନ ତଳେ ସ୍ଥାନୀୟ ବିଧାୟକ ସମୀକ୍ଷା ଓ ପରିଦର୍ଶନ କରିଥିଲେ । ବିଭିନ୍ନ ସମୟରେ ବର୍ଷା ପାଣି ମନ୍ଦିରକୁ ପ୍ରବେଶ କରୁଥିବାରୁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବାରୁ ଘନ ଘନ ସମୀକ୍ଷା ବୈଠକ ହେଉଥିଲା । କିନ୍ତୁ ଏବେ ବି କାର୍ଯ୍ୟ ଅଧପନ୍ତରିଆ ହୋଇ ମନ୍ଥରଗତିରେ କାମ ଚାଲିଛି । ୩କୋଟି ୭୫ଲକ୍ଷ ଟଙ୍କା ଉନ୍ନତିକରଣ ପାଇଁ ଆସିଥିବା ବେଳେ ମନ୍ଦିର ଭୁଷୁଡିବା ୫ ବର୍ଷ ବିତିଗଲା ଅଧାରେ ଅଟକି ରହିଛି ମା’ ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ । ଏନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ । ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ମନ୍ଦିର ଉନ୍ନତି କାର୍ଯର୍୍ୟକ୍ରମ ଶିଘ୍ର କାର୍ଯ୍ୟ ତୁଳାଇବା ସହ ଅଧିକ ଅର୍ଥ ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ କମିଟିର ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ପ୍ରକାଶ କୁମାର ବରାଇ, ବରୁଣ ବାଗ ଓ ଉପ-ସଭାପତି ପ୍ରଶାନ୍ତ ମହାକୁର ଓ ରିଣ୍ଟୁ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.