ବରିଷ୍ଠ ସାମ୍ୱାଦିକ ରମେଶ ବାରିକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବରିଷ୍ଠ ତଥା ଅଭିଜ୍ଞ ସାମ୍ୱାଦିକ ରମେଶ ଚନ୍ଦ୍ର ବାରିକ (୬୫)ଙ୍କ ପରଲୋକ ହୋଇଯାଇଛି । ଝାରବନ୍ଧର ସେ ଏକ ଜଣାଶୁଣା ବ୍ୟକ୍ତିତ୍ୱ ଥିବାବେଳେ ନିର୍ଭିକ ଭାବରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରୁଥିଲେ । ସାମ୍ବାଦିକତାରେ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ତାଙ୍କ ଅକାଳ ବିୟୋଗ ପାଇଁ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷ, ବିଭିନ୍ନ ସଂଗଠନ, ଜିଲ୍ଲା ସାମ୍ବାଦିକ ସଂଘ, ଉପଖଣ୍ଡ ସାମ୍ୱାଦିକ ସଂଘ ଶୋକବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଥିଲେ । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରବି ନାରାୟଣ ପଣ୍ଡା, ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ବଡ଼ ଶଥପଥି, ଲଲାଟେନ୍ଦୁ ଦାସ, ବଦ୍ରି ସାହୁ, ରଞ୍ଜନ ଦେବତା, ଗୌରାଙ୍ଗ ଦାଶ, ସୁରଥ ସାହୁ, ମାନସ ନାୟକ, ଡା. ମୋହନ ନାୟକ, ହରିହର ସାହୁ, ପ୍ରଦୀପ୍ତ କୁମାର ଦାସ, କ୍ଷମାନିଧି ନାୟକ, ରତ୍ନମଣୀ ଶଥପଥୀ, ବୀରଦୈତ୍ୟ ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ସୁଦାମ ସାହୁ, ଡା. ଲମ୍ବୋଦର ପଣ୍ତା, ଦୁର୍ଯ୍ୟୋଧନ ପୁଟା, ଗୋବିନ୍ଦ ପଟେଲ ପ୍ରମୁଖ ଶବାଧାରରେ ଯୋଗଦାନ କରି ଶେଷଦର୍ଶନ କରିଥିଲେ । ସେ ଅଞ୍ଚଳର ଏକ ବେଶ ଜଣାଶୁଣା ବ୍ୟକ୍ତି ଥିବାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ପ୍ରତାକ୍ଷ ଜଡିତ ଥିବାରୁ ବେଶ ଲୋକସମ୍ପର୍କ କରି ପାରିଥିଲେ । ଏହି ଲୋକ ସମ୍ପର୍କ ପାଇଁ ୧୯୯୪ ମସିହାରେ ଝାରବନ୍ଧ କୃଷି ସମବାୟ ସମିତିର ସଭାପତି ଏବଂ ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଝାରବନ୍ଧ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ପୁତୁରା ଆଶିଷ ବାରିକ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପତ୍ନୀଙ୍କ ସହ ଦୁଇ ଝିଅ ସୁନୟନା ଓ ଗ୍ଲୋରିଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ତଥା ସାମ୍ବାଦିକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.