- ରାଜସ୍ଥାନର ଝୁନଝୁନୁରୁ କୃଷକମାନଙ୍କ ଆକାଉଣ୍ଟକୁ ଡିଜିଟାଲ୍ ଭାବେ ବୀମା ରାଶି ହସ୍ତାନ୍ତର କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
- ୩୫ ଲକ୍ଷ କୃଷକଙ୍କୁ ମୋଟ ୩୯୦୦ କୋଟି ଟଙ୍କାର ବୀମା ଦାବି ପ୍ରଦାନ କରାଯାଇଛି
- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ
- କୃଷକ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ
- ଆଜି ରାଜସ୍ଥାନର ଝୁନଝୁନୁରୁ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଫସଲ ବୀମା ଦେୟ ରାଶିକୁ ଡିଜିଟାଲ୍ ମାଧ୍ୟମରେ ସ୍ଥାନାନ୍ତର କରିଛନ୍ତି । ପାଖାପାଖି ୩୫ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ପ୍ରାୟ ୩୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ, (ପିଆଇବି) : ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭଗିରଥ ଚୌଧୁରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏବଂ ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋଡି ଲାଲ ମୀନାଙ୍କ ସମେତ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ କୃଷକ ଏବଂ ହିତାଧିକାରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମାବେଶକୁ ସମ୍ବୋଧିତ କରି ଶିବରାଜ ସିଂହ ଚୌହାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଏକ ଉଲ୍ଲେଖନୀୟ ଭାରତ ଗଠନର ସାକ୍ଷୀ ହେଉଛୁ । ସେ ଉଲ୍ଲେଖ କରିଥିଲେ ଯେ ରାଜସ୍ଥାନ ଖୁବ୍ ଶୀଘ୍ର ଯମୁନା, ଚମ୍ବଲ ଏବଂ ସିନ୍ଧୁ ନଦୀରୁ ଜଳ ଗ୍ରହଣ କରିବ । ମନ୍ତ୍ରୀ ସ୍ମରଣ କରାଇଦେଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତ ଦୃଢ଼ ଜବାବ ଦେଇ ‘ଅପରେସନ ସିନ୍ଦୁର “ଜରିଆରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ଦେଇଥିଲା, ଏହି ନିଷ୍ପତ୍ତି କେବଳ ଭାରତ ଦ୍ୱାରା କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ବିନା ନିଆଯାଇଥିଲା । ଭାରତର ଶକ୍ତି ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବା ପରେ ହିଁ ଆମେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିଛୁ ବୋଲି ସେ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଫସଲ ବୀମା କ୍ଷତିପୂରଣ କେବଳ ସେତେବେଳେ ପ୍ରଦାନ କରାଯାଉଥିଲା ଯେତେବେଳେ ଏକ ସମ୍ପୂର୍ଣ୍ଣ ତହସିଲ କିମ୍ବା ବ୍ଲକର ଫସଲ ନଷ୍ଟ ହେଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ପୁରୁଣା ଯୋଜନାଗୁଡ଼ିକୁ ରଦ୍ଦ କରି ଏକ ବୀମା ଯୋଜନା ପ୍ରବର୍ତ୍ତନ କରିଥିଲେ ଯାହା ଅଧୀନରେ ଗୋଟିଏ ଗ୍ରାମରେ ଜଣେ କୃଷକଙ୍କ ଫସଲ ନଷ୍ଟ ହେଲେ ବି କ୍ଷତିପୂରଣ ପ୍ରଦାନ କରାଯାଉଛି । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ଏକାଧିକ ଯୋଜନା ମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୩.୭୫ ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ୨୦୧୬ ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହେବା ପରଠାରୁ କୃଷକମାନଙ୍କୁ ୨ ଲକ୍ଷ ୧୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ସେ ସାର ସବସିଡି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଉଲ୍ଲେଖ କରିଥିଲେ ଯେ ଏକ ୪୫ କିଲୋଗ୍ରାମ ୟୁରିଆ ବ୍ୟାଗର ମୂଲ୍ୟ କୃଷକମାନଙ୍କ ପାଇଁ ୨୬୬ ଟଙ୍କା, ଏହାର ପ୍ରକୃତ ମୂଲ୍ୟ ୧୬୩୩.୨୪ଟଙ୍କା ଏବଂ ଏହି ପାର୍ଥକ୍ୟ ରାଶି ସରକାରଙ୍କ ଦ୍ବାରା ବହନ କରାଯାଉଛି । ସେହିଭଳି, ଡିଏପି (ଡାୟାମୋନିୟମ୍ ଫସଫେଟ୍) ର ଏକ ୫୦ କିଲୋଗ୍ରାମ ବ୍ୟାଗର ମୂଲ୍ୟ ଏହାର ପ୍ରକୃତ ମୂଲ୍ୟ ୩୧୦୦ ଟଙ୍କା ତୁଳନାରେ ୧୩୫୦ ଟଙ୍କା । ଏପର୍ଯ୍ୟନ୍ତ, କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟର ସାର ସୁନିଶ୍ଚିତ କରିବା ପାଇଁ ସାର କମ୍ପାନୀଗୁଡ଼ିକୁ ୧୪.୦୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀ ଚୌହାନ ଅନ୍ୟ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ସରକାର ଏମ୍ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ହାର ବୃଦ୍ଧି କରିଛନ୍ତି, ଯାହା ସୁନିଶ୍ଚିତ କରୁଛି ଯେ ସେଗୁଡ଼ିକ ଉତ୍ପାଦନ ଖର୍ଚ୍ଚଠାରୁ ୫୦% ଅଧିକ ହେବ । ସରକାର କ୍ୱିଣ୍ଟାଲ ପିଛା ୨୦୦୦ ଟଙ୍କାରେ ମୁଗ କିଣିବାକୁ ନିଷ୍ପତ୍ତି ନେଇଥିଲେ । ପିଏମ-ଆଶା ଯୋଜନା (ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ) ଅଧୀନରେ ଗହମ ଏବଂ ଧାନ କ୍ରୟ ପାଇଁ କୃଷକମାନଙ୍କ ଆକାଉଣ୍ଟକୁ ୪୩.୮୭ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ବଜାର ହସ୍ତକ୍ଷେପ ଯୋଜନା (ଏମଆଇପି) କୃଷକମାନଙ୍କୁ ଅନ୍ୟ ରାଜ୍ୟରେ ଉତ୍ପାଦ ବିକ୍ରୟ କରିବାକୁ ଅନୁମତି ଦେଇଥାଏ ଏବଂ ସରକାର ପରିବହନ ଖର୍ଚ୍ଚ ବହନ କରନ୍ତି । ନକଲି ସାର ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ଏକ କଠୋର ଆଇନ ପ୍ରଣୟନ କରିବାକୁ ପଦକ୍ଷେପ ନିଆଯାଉଛି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଜେଲ୍ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଫସଲ ଭୂତାଣୁ ଆକ୍ରମଣ କ୍ଷେତ୍ରରେ, ଯଦି କୃଷକମାନେ ସୂଚନା ସେୟାର କରନ୍ତି କିମ୍ବା ଫଟୋ ମଧ୍ୟ ପଠାନ୍ତି, ତେବେ ବୈଜ୍ଞାନିକମାନଙ୍କ ଏକ ଦଳ ତୁରନ୍ତ ସହାୟତା ପାଇଁ ଗ୍ରାମରେ ପହଞ୍ଚିବେ । ଶ୍ରୀ ଚୌହାନ କହିଥିଲେ ଯେ ଖରିଫ ଋତୁ ପରେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଅଧୀନରେ ବୈଜ୍ଞାନିକମାନଙ୍କ ଟିମ୍ ରବି ଫସଲ ଋତୁ ପାଇଁ ଗାଁକୁ ଗାଁ ଗସ୍ତ କରି ସଠିକ ଚାଷ ଏବଂ ଗବେଷଣା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ। ଉତ୍ପାଦନ ବୃଦ୍ଧି ପାଇଁ ମୁଗ, ହରଡ, ସୋୟାବିନ୍ ଏବଂ ବାଜରା ପାଇଁ ଉନ୍ନତ ମାନର ବିହନ ବିକଶିତ କରିବା ଉପରେ ଧ୍ୟାନ ଦେବା ସହିତ କୃଷକଙ୍କ ଆବଶ୍ୟକତାକୁ ଆଧାର କରି ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି କୃଷି ଗବେଷଣା ହେବ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଶ୍ରୀ ଚୌହାନ କହିଛନ୍ତି ଯେ ତାଙ୍କ ନେତୃତ୍ୱ ପାଇ ଦେଶ ଭାଗ୍ୟବାନ, କାରଣ ସେ ଜାତୀୟ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି ଏବଂ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ କୃଷକଙ୍କ ସ୍ୱାର୍ଥ ସହିତ କେବେ ସାଲିସ କରାଯିବ ନାହିଁ । ଏହି ନିର୍ଣ୍ଣାୟକ ଆଭିମୁଖ୍ୟ ବିଶ୍ୱସ୍ତରରେ ଭାରତର ଭାବମୂର୍ତ୍ତିକୁ ସୁଦୃଢ଼ କରିଛି । ଶ୍ରୀ ଚୌହାନ ରାଜସ୍ଥାନରେ କୃଷିର ଆହୁରି ବିକାଶ ପାଇଁ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିବା ବିଷୟରେ ମଧ୍ୟ କହିଥିଲେ । ଶେଷରେ ଶ୍ରୀ ଚୌହାନ ନାଗରିକମାନଙ୍କୁ ଆମର ସମସ୍ତ ଦୈନନ୍ଦିନ ଆବଶ୍ୟକତା ପାଇଁ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାର ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସ୍ୱଦେଶୀ ସାମଗ୍ରୀକୁ ଆପଣେଇବା ଦ୍ୱାରା ଛୋଟ ଛୋଟ କାରିଗର ଏବଂ ଉଦ୍ୟୋଗୀମାନେ ସଶକ୍ତ ହେବେ ଏବଂ ଭାରତୀୟ ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।