ଖପ୍ରାଖୋଲ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ମଙ୍ଗଳବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ପୁଟେଲ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୨୧ଟି ପଞ୍ଚାୟତର ସମିତିସଭ୍ୟ ଏବଂ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥିଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ବ୍ଲକସ୍ତରୀୟ ସମସ୍ତ ଉନ୍ନୟମୂଳକ କାର୍ଯ୍ୟର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ସମସ୍ତ ସଭ୍ୟ ସଭ୍ୟା ଏବଂ ସରପଞ୍ଚ ମାନେ ଏକମତ ହୋଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି କରାଯାଉ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହା ଛଡ଼ା ଖପ୍ରାଖୋଲ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯିବା ନେଇ ଆଲୋଚନା କରିଛନ୍ତି । ସେହିପରି କୃଷି ସମସ୍ୟା ଉପରେ ବିଶେଷ ଗୁରୁତ୍ଵ ଆରୋପ କରାଯାଇଛି । ବିଶେଷ କରି କପା ଚାଷ ଉପରେ ଚାଷୀ ସଠିକ୍‌ ପାରିଶ୍ରମିକ ପାଇ ପାରୁ ନାହିଁ ବୋଲି ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗ ଯଥା ସାଧାରଣ ବଣ୍ଟନ, ଶିକ୍ଷା, ସମାଜ କଲ୍ୟାଣ, କୃଷି ଉଦ୍ୟାନ ଓ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ୍ନ, ପୂର୍ତ୍ତ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ୍, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସମସ୍ତ ଉନ୍ନୟନ୍ନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଟିପିଡବ୍ଲୁଓଡିଏଲ୍‌ (ବିଜୁଳି ବିଭାଗ) ଏସ୍‌ଡ଼ିଓଙ୍କୁ ସଭାରେ ଉପସ୍ଥିତ ରହିବା ପାଇଁ ଚିଠି କରାଯାଇଥିଲେ ସୁଦ୍ଧା ସେ ସଭାରେ ଅନୁପସ୍ଥିତ ଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନେ ବହୁ ପୂର୍ବରୁ ସମ୍ମିଳନୀ କକ୍ଷ୍ୟରେ ଅତ୍ୟଧିକ ଗରମ ହେଉଥିବାରୁ ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ତାହା ପରିପୂର୍ଣ୍ଣ ହୋଇପାରିନଥିଲା ଆଜି ଉକ୍ତ ବୈଠକରେ ଗରମ ସହ୍ୟ କରି ନପାରି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ୫ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସମ୍ମିଳନୀ କକ୍ଷରେ ଲଗାଇବା ପାଇଁ ସହାୟତା କରିଥିଲେ । ଉକ୍ତ ବୈଠକରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ଷାଣ୍ଢ, ୩ ଏବଂ ୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ସଞ୍ଜୁକ୍ତା ମେହେର, ଶ୍ରୀମତୀ ପ୍ରମିଳା ପାଥର, ପାଟଣାଗଡ଼ ବିଧାୟକ ପ୍ରତିନିଧି ପଦ୍ମ ସିଂ ବରିହା, ଲୋକସଭା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଭଇଁଶାଲ, ଜିପିଓ ପରମେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!