jayashree

କବିତା : ସ୍ତ୍ରୀଲୋକର ଗପ

ରଂଜିତା ପଣ୍ଡା

ଅପମାନର ବରଫଗୁଳା ଗିଳିପାରିବୁ ?
ତ ସୁନାନାକି ,
ଦଶପଦ ଶୁଣି ପଦେ କଥା ଫେରେଇବୁ
ତ କଳିହୁଡି…।

ଦୁଆରବଂଧକୁ ମୁଣ୍ଡିଆ ମାରି
ଓଠ କାମୁଡି ରହିବୁ ତ ସାତସତୀ ,
ଦୁଆରବଂଧ ଡେଇଁବୁ ତ ସତର ନିନ୍ଦାରେ
ବାର ନାମରେ ମିଳିପାରେ ଅଖ୍ୟାତି…।

ଚାରିକାନ୍ଥ ଏପାଖେ ଅଛୁ ତ
ଦି ମୁଠା ପଖାଳ ଅଛି
ଦି ହାତ ବସନ ଅଛି..
ଆତ୍ମସମ୍ମାନ ଅଛି ,
ଥରେ ଯଦି ପାହା ପ୍ରସାରିଲୁ
ତ୍ୟକ୍ତା ହେଲୁ, ନିଃସ୍ବା ହେଲୁ….
ହଜାରେ ଅପବାଦର
କଣ୍ଟାବଣକୁ ଯାତ୍ରା ଆରମ୍ଭିଲୁ ।

କିଏ କୁହେ ତୁ ଦୁଇ କୂଳର ?
ହୋମାଗ୍ନିର ତଣ୍ଡୁଳ ସହିତ ମନ୍ତ୍ରଧ୍ବନୀ
ଗୁଂଜରିତ ହେଲେ ହିଁ
ତୁ ପର ହେଇଯାଉ ଜନ୍ମ ଦେଇଥିବା
ମାଆର କୋଳରୁ ।

କେବେ କେବେ ଏମିତି ବି ହୁଏ
ନିଜ ସଂସାର ବୋଲି
ଭାବିଥିବା ଘର ବି ତୋର ହୁଏନା ,
ସ୍ବେଦରେ ତ୍ୟାଗରେ ପ୍ରେମରେ ଶ୍ରମରେ
ତୁ ଦାୟିତ୍ବ ସଂପାଦିବାର ପ୍ରକ୍ରିୟାଟି
ଘଡିଏ ଅଟକିଗଲେ ହିଁ
ତୁ ବୋଝ ପରି ଲାଗିବସୁ
କାହାକୁ ନା କାହାକୁ !!!

ଭାବିଥିଲୁ ନା
ଯାହାର ଫୁଲଅଗଣାରେ ପଡିବ ତୋ ଲକ୍ଷ୍ମୀପାଦ
ଆପେ ଆପେ ଇନ୍ଦ୍ରଧନୁ ଆଂକିହେବ
ଭାଗ୍ୟର ପୂର୍ବଦିଗରେ..
ହେଲେ ତୋର ସ୍ବପ୍ନର ରାତି କେବଳ
କାନ୍ଥଟଂଗା ସବୁଜ ଆଶ୍ବାସନା ,
ଏବେ ବୁଝିଲୁ ତ
ସତଗପରେ ନ ଥାଏ
ମଉଛବମୟ କଳ୍ପନା…।।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନାଇକେନପାଲି
ନାରାୟଣପୁର, ସୋନପୁର

Leave A Reply

Your email address will not be published.