om academy

କୋଲକାତାକୁ ୧୮ ରନରେ ହରାଇ ଟେବୁଲର ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ କଲା ସିଏସକେ

jsm

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୧୮ ରନ୍‌ରେ ଅନ୍ୟତମ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି । ଋତୁରାଜ (୬୪) ଓ ଦକ୍ଷିଣ ଆଫ୍ରିକୀୟ ଡୁ’ପ୍ଲେସିସ୍ (୯୫ଞ୍ଚ) ଆରମ୍ଭରୁ କେକେଆ‌ର୍‌ ବୋଲରଙ୍କୁ ଘନ ଘନ ଆକ୍ରମଣ କରି ପାୱାର ପ୍ଲେରୁ ୫୪ ରନ୍ ଅମଳ କରିଥିଲେ । ଋତୁରାଜ ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ସହ ଉଭୟ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ପାଇଁ ପ୍ରଥମ ଶତକୀୟ ଭାଗୀଦାରି କରିଥିଲେ । ଋତୁରାଜଙ୍କୁ ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରଥମ ଶିକାର କରି ଯୋଡ଼ି ଭାଙ୍ଗିଥିଲେ । ହେଲେ ଡୁ’ପ୍ଲେସିସ୍ ନିଜ ଧମାକାଦାର ବ୍ୟାଟିଂ ଜାରି ରଖିଥିଲେ । ଶେଷ ଓଭରରୁ ଦୁଇଟି ଛକା ମାରିବା ସତ୍ତ୍ବେ ମାତ୍ର ୫ ରନ୍ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ । ‌ଅବଶ୍ୟ ଶେଷ ବଲ୍‌ରୁ ରବୀନ୍ଦ୍ର ଜାଦେଜା ଭାଗ୍ୟଶାଳୀ ଛକା ହାସଲ କରିବା ପରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୨୨୦ ରନ୍‌ର ବିଶାଳ ସ୍କୋର କରି ନେଇଥିଲା । ଏହା ପୂର୍ବରୁ ଅଲରାଉଣ୍ଡର୍‌ ମୋଇନ ଅଲ୍ଲୀ ମାତ୍ର ୧୨ ବଲ୍‌ରୁ ୨୫ ରନ୍‌ର ଦ୍ରୁତ ପାଳି ଖେଳିଥିଲେ । ଚତୁର୍ଥ ସ୍ଥାନରେ ବ୍ୟାଟିଂ ଆସି ଅଧିନାୟକ ଧୋନି ମଧ୍ୟ ୮ ବଲ୍‌ରୁ ୨ ଚୌକା ଓ ୧ ଛକା ବଳରେ ୧୭ ରନ୍‌ର ତୋଫାନି ପାଳି ଖେଳି ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ । ସିଏସ୍‌କେ ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ୩୧ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର୍‌ ଶେଷ ଆଡ଼କୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରି ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା । ତେବେ ଶେଷ ଦୁଇ ୱିକେଟ୍ ରନ୍ଆଉଟ୍‌ରେ ହରାଇବା ପରେ ୫ ବଲ୍ ପୂର୍ବରୁ ୨୦୨ ରନ୍‌ରେ ଅଟକି ଯାଇଥିଲା । ଫଳରେ ଆନ୍ଦ୍ରେ ରସେଲ (୫୪ ରନ୍, ୨୨ ବଲ୍, ୩ ଚୌକା, ୬ ଛକା)ଙ୍କ ଚଳିତ ଆଇପିଏଲ୍‌ର ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ସହ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ପ୍ୟାଟ୍ କମିନ୍ସ (୬୬ଞ୍ଚ ରନ୍, ୩୪ ବଲ୍, ୪ ଚୌକା, ୬ ଛକା)ଙ୍କ ଧୂଆଁଧାର ଓ ମନୋରଞ୍ଜନଧର୍ମୀ ସାହସିକ ପାଳି ବେକାର ଯାଇଥିଲା । ଏହି ବିଜୟ ବଳରେ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ଧୋନିଙ୍କ ସିଏସ୍‌କେ ପଏଣ୍ଟ୍‌ ତାଲିକାର ଶୀର୍ଷକୁ ଉଠିଥିଲା । ଅନ୍ୟପକ୍ଷରେ କେକେଆର୍‌ ସମାନ ସଂଖ୍ୟକ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ଷଷ୍ଠ ସ୍ଥାନରେ ରହିଥିଲା । ୯୫ ରନ୍‌ର ଅପରାଜିତ ପାଳି ପାଇଁ ସିଏସ୍‌କେର ଫାଫ୍ ଡୁ’‌ପ୍ଲେସିସ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

Leave A Reply

Your email address will not be published.