pakka

ଭାବ ଓ ଭାଷାର ଯୁଗଳବନ୍ଦୀ

  • ରାମକୃଷ୍ଣ

ମଣିଷର ପରିଚୟ ନିର୍ମିତ ହୁଏ ମନ ଓ ହୃଦୟ ପରି ତାର ଚେତନାର ଦୁଇଟି ମୂଖ୍ୟ ଭୂମିରୁ । ମନର ଅଭିବ୍ୟକ୍ତିରୁ ନିର୍ମିତ ହୁଏ ତାର ବ୍ୟକ୍ତିସତ୍ତା ଓ ହୃଦୟର ଅଭିବ୍ୟକ୍ତିରୁ ତାର କବିସତ୍ତା । ପ୍ରତି ମଣିଷର ହୃଦୟରେ ହିଁ ଥାଏ ତାର କବିସତ୍ତା । ଅର୍ଥାତ୍ ପ୍ରତି ମଣିଷ ହୃଦୟରେ ଜଣେ ଜଣେ କବି । ହୃଦୟରେ ଉଠୁଥିବା ଭାବ ଲହରରୀର ଅଭିବ୍ୟକ୍ତି ପାଇଁ ଭାଷା ଉପଲବ୍ଧ ହେଲେ ସେ ପାଇଯାଏ କବିର ପରିଚୟ । ଯଦି ପ୍ରକୃତରେ ମନ ହୃଦୟର ପ୍ରତିବନ୍ଧକ ନହୁଏ ଏବଂ ତାର ସହାୟକ ଭାବେ ଛିଡାହୁଏ, ତେବେ ମନର ଭୂମିରୁ ହୃଦୟ ଖୋଜିନିଏ ତାର ଭାଷା, ଯାହା କବିତାର ରୂପ ନିଏ । ହୃଦୟର ଭାବ ନିରବତା ଯାହା ରୂପ ନେଇପାରେ ନୃତ୍ୟ, ସଂଗୀତ, ଚିତ୍ରକଳା ମାଧ୍ୟମରେ । ମନର ଭାଷା ଶବ୍ଦ । ମାତ୍ର କବିତାର ରୂପ ନେବାକୁ ହେଲେ ହୃଦୟର ଭାବକୁ ମନର ଭାଷା ଉପରେ ନିର୍ଭର କରିବାକୁ ପଡେ । ତେଣୁ ଧରିନେବାକୁ ହେବ ଯେ କବିତା ମନ ଓ ହୃଦୟର ଯୁଗଳବନ୍ଦୀ । ଅର୍ଥାତ୍ ମନ ହୃଦୟର ସମତଳରେ ଛିଡା ନହେବା ପର୍ଯ୍ୟତ କବିତାର ଜନ୍ମ ଅସଂଭବ । ତେଣୁ ହୃଦୟ ହିଁ କବି ଏବଂ ତାର ଭାଷା କବିତା ।

କବିତା ସର୍ଜନାର ଏହି ଯୁଗ୍ମକ୍ରିୟାରେ ମୂଖ୍ୟ ଭୂମିକା ହୃଦୟର ଏବଂ ମନ ତାର ସହାୟକ, ଯେମିତି କଣ୍ଠ ରାଗ ସଂଗୀତକୁ ସଂଗତ ଦେଉଥିବା ବାଦ୍ୟଯନ୍ତ୍ର । ଯେମିତି ଶିଶୁର ପ୍ରସବ ପାଇଁ ଧାଈ । ହୃଦୟ ଅଂଧ । ପାଠକ ସଚେତନତା ତେଣୁ ତା’ଭିତରେ ନଥାଏ । ସେ କେବଳ ଭାବକୁ ତାର ଗର୍ଭରେ ଧାରଣ କରେ, ପରିପକ୍ବ ହେବାଯାଏ ଭିତରେ ପାଳେ ଏବଂ ଜନ୍ମକାଳରେ ମନର ସାହାଯ୍ୟ ନିଏ ଭାଷା ପାଇଁ । କବିତାକୁ ଜନ୍ମଦେବା ତାର ଧର୍ମ, ଅର୍ଥାତ୍ କବିତା କବିର ଧର୍ମ । କବିତାରୁ ତାର ଯଶ ପ୍ରଶଂସାର କୌଣସି ଆଶା ନଥାଏ, ପ୍ରକୃତିର ନିୟମ ପରି ସେ କେବଳ ତାର ଧର୍ମ ପାଳନ କରେ ।

ମନର କିଂତୁ ଆଖିଥାଏ । ପାଠକକୁ ସେ ଦେଖିପାରେ, ତାର ଚାହିଦାକୁ ସେ ବୁଝିପାରେ । ତାର ଯଶ ପ୍ରଶଂସାର ଲୋଭ ଥାଏ । ପାଠକକୁ ପ୍ରଭାବିତ କରିବା ପାଇଁ ଭାବର ସ୍ବତଃସ୍ଫୁର୍ତ୍ତତାକୁ ଦମନ ପୂର୍ବକ ଭାଷାର ଯାଦୁଖେଳ ଦେଖାଇବା ପାଇଁ କଳା କୌଶଳର ଆଶ୍ରୟ ନିଏ । ଏଇଠି କବିତା ଭିତରକୁ ପଶେ ଚତୁରତା ଓ ଛଳ । ପାଠକ ହୃଦୟରୁ କବିତାକୁ ନପଢି କେବଳ ମନରୁ ଯଦି ପଢେ ତେବେ ଏହି ଚତୁରତାର ଜାଲରେ ଛଂଦିହୋଇ କବିତାର ମୋହରେ ପଡିଯାଏ । କିଂତୁ ଏକଥା ଜାଣି ରଖିବାକୁ ହେବ ଯେ ମନର ଭୂମିରେ କବିତା ସବୁଦିନ ତିଷ୍ଠି ରହେନାହିଁ, କାରଣ ସମୁଦ୍ରର ଉପରିଭାଗ ପରି ଏହା ସଦା ବିକ୍ଷୁବ୍ଧ, ତା ଉପରେ ଯାହା ପଡେ ତାକୁ ଢେଉର ହାତରେ ନେଇ କୂଳରେ ଅଜାଡି ଦିଏ । କବିତା ତିଷ୍ଠିରହେ ସମୁଦ୍ରର ଗର୍ଭରେ ମୁକ୍ତା ପରି ।

ମନର ହାତରେ ଯେହେତୁ ଶବ୍ଦ ଥାଏ, ହୃଦୟର ଭାବଧାରାକୁ ଅବହେଳା କରି ବା ତା ଉପରେ ନିର୍ଭର ନକରି, ନିଜର ବିଚାରଧାରା, ଭାବନା, ଧାରଣା ତଥା ବାହ୍ୟ ଜଗତର ଘଟଣା ଓ ବିଷୟକୁ କାବ୍ୟବସ୍ତୁ କରି କବିତା ରଚନା କରି କବି ପରିଚୟଟିଏ ତିଆରି କରିପାରେ । ଶବ୍ଦ ଓ ବିଚାରର ଏ ଯୁଗଳକ୍ରିଡା ମନକୁ ରଂଜନ କରେ ନିଶ୍ଚୟ କିଂତୁ ପାଠକର ହୃଦୟରେ ଚିରବାସ ପାଇଁ ତାର କ୍ଷମତା ନଥାଏ । ପ୍ଲାଷ୍ଟିକର ଫୁଲରେ ସୌନ୍ଦର୍ଯ୍ୟ ତ ଥାଏ, କିଂତୁ ବାସ୍ନା ନଥାଏ ।

କବିତା କର୍ମରେ ତେଣୁ ମନ ହୃଦୟକୁ ବା ଭାଷା ଭାବକୁ ସହଯୋଗ ଓ ଅନୁସରଣ କରିବା କଥା । କିଂତୁ ଭାଷା ଯଦି ଭାବକୁ ବଳପୂର୍ବକ ବାଟ କଢାଏ ତେବେ କାଳକ୍ରମେ କର୍ପୂର ଉଡିଯାଇ କନା ଖଣ୍ଡିକ ପରି ଦିନେ ଯେ ପଡି ରହିବ, ଏଥିରେ ସଂଦେହ ନାହିଁ ।

Leave A Reply

Your email address will not be published.

ten − nine =