ଏମାନେ ଅନାଥ ନୁହନ୍ତି : ତୁଳସୀ ଜୈନ

ସ୍ୱାର୍ଥପର ସଂସାର । କ୍ଷୁଦ୍ର ଲୋଭ ଯୁଗ ଯୁଗ ଧରି ମଣିଷର ଚେତନାକୁ ଗ୍ରାସ କରି ରଖିଛି । ସଭ୍ୟତାର ବଳିଷ୍ଠ କ୍ରମବିବର୍ତ୍ତନ ମଧ୍ୟ ଏହି ଆଦିମ ସଂଜ୍ଞାକୁ ପରିମାର୍ଜିତ କରିପାରି ନାହିଁ । “ମୁଁ ଏବଂ ମୋର’ ମଧ୍ୟରେ ଆହୁରି ବିସ୍ତୃତି ସୀମିତ । ଏଭଳି ସମୟରେ ଶିବ ପ୍ରସାଦ ପାଣ୍ଡିଆଙ୍କ ଭଳି ବ୍ୟକ୍ତିତ୍ୱ କେବଳ ବ୍ୟତିକ୍ରମ ଭାବରେ ନୁହେଁ କାଳଜୟୀ ଆଦର୍ଶ ରୂପରେ ଆପଣାକୁ ପ୍ରତିଷ୍ଠିତ କରି ପାରିଛନ୍ତି ।
ପଶ୍ଚିମ ଓଡ଼ିଶାର ଜଣେ ନିର୍ଭୀକ ଏବଂ ସଂବେଦନଶୀଳ ସାଂବାଦିକ ଶିବପ୍ରସାଦ ପାଣ୍ଡିଆଙ୍କ ଗତ ୨୨ ଏପ୍ରିଲ ୨୦୦୮ ଦିନ ବୟାଅଶୀ ବର୍ଷ ବୟସରେ ପରଲୋକ ଘଟିଛି । ସେହି ମହାମନାଙ୍କ ଜୀବନରେ ଏକ ଐତିହାସିକ ପ୍ରସଙ୍ଗ ।
୧୯୭୪ ଡିସେମ୍ବର ୧୩ ତାରିଖ । ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାନ ଭାଇ ଭକ୍ତପ୍ରସାଦ ଏବଂ ବୋହୂ ଆହ୍ଲାଦିନୀ ପ୍ରାଣ ହରାଇଲେ । ଶିବପ୍ରସାଦ ପାଣ୍ଡିଆ ଗଭୀର ଆଘାତ ପାଇ ମୃତ୍ୟୁ ସହିତ ସଂଘର୍ଷ କରି ବଂଚିଗଲେ । ଭାଇ ତଥା ଭାଇପତ୍ନୀଙ୍କ ମୃତ୍ୟୁ ଖବର ପାଇ କ୍ଷଣିକ ପାଇଁ ବାକଶୂନ୍ୟ ହୋଇପଡ଼ିଲେ । କିନ୍ତୁ ପର ମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ ସାମନାରେ ଦଣ୍ଡାୟମାନ କର୍ତ୍ତବ୍ୟର ରୁଦ୍ର ଆହ୍ୱାନକୁ ଆପଣେଇ ନେଲେ । ସେତେବେଳ ତାଙ୍କ ପୁଅଝିଅ ମିଶି ଆଠ ଏବଂ ଭାଇଙ୍କର ମଧ୍ୟ ଆଠ । ମୋଟ ଷୋହଳ । ପରିବାରର ଆତ୍ମୀୟ ସ୍ୱଜନମାନେ ସ୍ୱର୍ଗତ ଭକ୍ତପ୍ରସାଦର ପୁଅଝିଅମାନଙ୍କୁ ବାଂଟି ନେଇ ଲାଳନ ପାଳନ କରିବାର ପ୍ରସ୍ତାବ ଦେବାରୁ ଶିବପ୍ରସାଦ ପ୍ରତିକି୍ରୟା ପ୍ରକାଶ କରି କହିଲେ – “ଏମାନେ ସେମାନଙ୍କ ଜନ୍ମଦାତାଙ୍କୁ ହରାଇଛନ୍ତି । କିନ୍ତୁ ଏମାନଙ୍କୁ ଅନାଥ ବୋଲି କେହି ଭାବିବାର ଦରକାର ନାହିଁ । ଆଜି ପର୍ଯ୍ୟନ୍ତ ମୋର ଆଠଟି ସନ୍ତାନ ଥିଲେ । ଆଜିଠାରୁ ମୁଁ ଷୋହଳଟି ସନ୍ତାନର ବାପା ।’ ଏହି କ୍ରମରେ ଝୁନୁ, ଯିଏ ବାପାମା’ଙ୍କ ଅଷ୍ଟମ ସନ୍ତାନ ଥିଲା, ଆକସ୍ମିକ ଭାବରେ ଷୋହଳ ଭାଇ ଭଉଣୀଙ୍କ ମଧ୍ୟରେ ତାର ସଂଖ୍ୟା ଏଗାର ନମ୍ବରକୁ ଖସି ଆସିଲା ।
ଆଦର୍ଶ ସହଧର୍ମିଣୀ ଗିରିଜା ଦେବୀଙ୍କ ବାତ୍ସଲ୍ୟଭରା ସହଯୋଗ ପାଇ ଶିବବାବୁ ଏହି ସମସ୍ତ ପୁଅଝିଅଙ୍କୁ କେବଳ ଖୁଆଇ ପିଆଇ ବଡ଼ କରି ନାହାନ୍ତି । ସମସ୍ତଙ୍କୁ ପାଠ ପଢ଼ାଇ ମଣିଷ କରି ସମାଜରେ ପ୍ରତିଷ୍ଠିତ କରାଇଛନ୍ତି ଏବଂ ସତ ପତ୍ର ଦେଖି ସେମାନଙ୍କ ବିବାହ ଆଦି ଦାୟିତ୍ୱର ବି ସମ୍ୟକ୍ ନିର୍ବହନ କରିଛନ୍ତି ।
ସ୍ୱାର୍ଥର ବିସ୍ତୀର୍ଣ୍ଣ ସମୁଦ୍ର ମଧ୍ୟରେ ଏପରି ମଣିଷ ହିଁ ଆଶ୍ୱାସନାର ଦୀପ ଓ ଦ୍ୱୀପ ସାଜିଥା’ନ୍ତି ।

Leave A Reply

Your email address will not be published.