nursing

ଆରଓବି ପକ୍ଷରୁ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଶୀର୍ଷକ ୱେବିନାର

p purohit

• ନୂତନ ଶିକ୍ଷା ନୀତିରେ ପ୍ରତ୍ୟେକ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି
• ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ
• ବର୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହୋଇଛି ନୂଆ ଶିକ୍ଷାନୀତି
• ଶିକ୍ଷା ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି
• ଛାତ୍ରଛାତ୍ରୀଙ୍କ ପାଇଁ ରହିବ ପାଠପଢ଼ିବାର ଅଧିକ ବିକଳ୍ପ ଓ ନମନୀୟତା

ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅତିଥି ବକ୍ତାମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଖଣ୍ଡପଡାର ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଶ୍ରୀ ନେତାଜୀ ଅଭିନନ୍ଦନ, ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡଃ ଅଜିତାଭ ସିଂ, ଅଷ୍ଟେ୍ରଲିଆର ସିଡନିଠାରେ କାର୍ଯ୍ୟରତ ଶିକ୍ଷା ଗବେଷକ ଓ ସୁଚିନ୍ତକ ଡଃ ପ୍ରିୟବ୍ରତଙ୍କ ସମେତ ଆରଓବି ଓ ପିଆଇବି, ଭୁବନେଶ୍ୱରର ଅତିରିକ୍ତ ମହାନିଦେ୍ର୍ଧଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏବଂ ଆରଓବି ନିଦେ୍ର୍ଧଶକ ଶ୍ରୀ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ବକ୍ତାଭାବେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଂଚଳିକ ଭାଷାରେ ଶିକ୍ଷା, ମାତୃଭାଷାର ଉନ୍ନତି, ରୋଜଗାର ଭିତିକ ଶିକ୍ଷା ପ୍ରଦାନ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ, ସମାଜର ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସମାନ ସୁଯୋଗ ରହିବା ଦରକାର ଯାହାଫଳରେ କି ଶିକ୍ଷାର ବାସ୍ତବିକ ସ୍ୱରୂପକୁ ସମସ୍ତେ ବୁଝିପାରିବେ ।
ଏହି ୱେବିନାରରେ ଅଂଶଗ୍ରହଣ କରି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଲେ ଯେ, ଏହି ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ଏବଂ ଉପସ୍ଥାପନ ହେବା ପୂର୍ବର ସମାଜର ସମସ୍ତ ବର୍ଗର ନେତୃତ୍ୱମାନଙ୍କଠାରୁ ପରାମର୍ଶ ଗ୍ରହଣ କରାଯାଇଛି । ଏଥିରେ ଶିକ୍ଷା ଗ୍ରହଣ କରିବାର ନମନୀୟତା, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋକପାତ କରାଯାଇଛି । ଏଥିରେ ଘରୋଇ ଓ ସରକାରୀ ମିଳିତ ଉଦ୍ୟମ ଉପରେ ଜୋର ଦିଆଯାଇଛି । କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତିରେ ଶିକ୍ଷାବ୍ୟବସ୍ଥା ପାଇଁ ମୋଟ ଘରୋଇ ଉତ୍ପାଦର ଶତକଡା ୬ ଭାଗ ଅର୍ଥ ଖର୍ଚ୍ଚ କରିବା ଲାଗି ପ୍ରତିଶ୍ରୁତି ଦେଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ଏହାବ୍ୟତୀତ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ସହିତ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିବାରୁ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇବ ।
କାର୍ଯ୍ୟକ୍ରମକୁ ସଂଚାଳନ କରି ସହକାରୀ ପ୍ରାଧ୍ୟାପକ ନେତାଜୀ ଅଭିନନ୍ଦନ ପ୍ରାରମ୍ଭରେ କହିଲେ ଯେ, ପ୍ରାୟ ୩୪ ବର୍ଷ ପରେ ଆମେ ଏକ ନୂତନ ଜାତୀୟ ଶିକ୍ଷା ନୀତିକୁ ଗ୍ରହଣ କରିବାକୁ ଯାଉଛୁ । ଏଥିରେ ଭାରତର ଆଂଚଳିକ, ସାଂସ୍କୃତିକ ମହତ୍ୱ, ମୂଲ୍ୟବୋଧ, ବିବିଧତା ଏବଂ ସାମଗ୍ରୀକ ଉଦ୍ୟମ ସମାହିତ ହୋଇ ରହିଛି ବୋଲି ସେ କହିଥିଲେ ।
ପରେ ନିଜ ଉପସ୍ଥାପନା ରଖି ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡଃ ଅଜିତାଭ ସିଂହ କହିଥିଲେ ଯେ, ଏହି ନୂତନ ଶିକ୍ଷା ନୀତି ପୂର୍ବ ଅନୁଭୂତି, ବର୍ତମାନର ଆହ୍ୱାନ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷା ନୀତି ଦ୍ୱାରା ଭାରତ ବିଶ୍ୱରେ ଏକ ଜ୍ଞାନଭିତିକ ସମାଜ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ । ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧିକ ରୋଜଗାର ସୃଷ୍ଟି କରିପାରିବ । ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ବୃତିଗତ ଶିକ୍ଷା ପ୍ରଦାନ କରାଯିବ । ଫଳରେ ଏହା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ଚାକିରିଭିତିକ ଦକ୍ଷତା ବୃଦ୍ଧି କରିବ ।
ଶେଷରେ ଅଷ୍ଟେ୍ରଲିଆର ସିଡନିରେ ଅବସ୍ଥାପିତ ଓଡିଆ ଶିକ୍ଷା ଗବେଷକ ଓ ସୁଚିନ୍ତକ ଡଃ ପ୍ରିୟବ୍ରତ କହିଲେ ଯେ, ଏହି ନୂତନ ଶିକ୍ଷା ନୀତିରେ ବିଶ୍ୱର ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାର ଶ୍ରେଣୀ ବୈଶିଷ୍ଟ୍ୟଗୁଡିକୁ ସ୍ଥାନିତ କରାଯାଇଛି । ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗବେଷଣାମୂଳକ, ଧନ୍ଦାମୂଳକ ଶିକ୍ଷା ପ୍ରଦାନ, ମୁକ୍ତ ବିଦ୍ୟାଳୟ, ଦକ୍ଷତା ଭିତିକ ଶିକ୍ଷା ବ୍ୟବସ୍ଥା ଏଥିରେ ସ୍ଥାନିତ କରାଯାଇଛି ବୋଲି ସେ କହିଥିଲେ । ଏହି ନୂତନ ଶିକ୍ଷା ନୀତିରେ କୌଣସି ବିଷୟଗତ କଟକଣା ନାହିଁ । ସ୍ନାତକ ସ୍ତରର କଳାଛାତ୍ରମାନେ ବିଜ୍ଞାନ ଓ ବାଣିଜ୍ୟ ବିଷୟ ମଧ୍ୟ ପଢ଼ିପାରିବେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ମହାନିଦେ୍ର୍ଧଶକ ଶ୍ରୀ ମାଲବ୍ୟ ସମସ୍ତ ଅତିଥି, ବକ୍ତା ଏବଂ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ । ପରେ ନିଦେ୍ର୍ଧଶକ ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ପରିସରକୁ ବୃଦ୍ଧି କରାଯାଇଛି । ସେହିପରି ରୁଚି ଅନୁଯାଇ ବିଷୟ ବାଛି ପାଠ ପଢ଼ିବାର ବିକଳ୍ପ ଏହି ନୂତନ ଶିକ୍ଷା ନୀତିରେ ଥିବା କଥା ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭାଗୀୟ ଅଧିକାରୀ, ଶିକ୍ଷାବିତ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

upahar
Leave A Reply

Your email address will not be published.

3 + four =