csstore

କବିତା : ଅତୃପ୍ତ କବନ୍ଧ

  • ଉମେଶ ବିଶ୍ୱାଳ

ମୁଁ ଜାଣିଥିଲି
ଏଠି ଶୁଭେଚ୍ଛୁଙ୍କ ଭିଡରେ
ଅଜସ୍ର ଶତୃ ବୋଲି..
କିନ୍ତୁ, ଶେଷରେ
ତୁମେ ହିଁ
ମୋର ଶୁଖିଲା ଓଠର
ମୁଠାଏ ହସର
ଘାତକ ସାଜିବ,
ଏଇ କଥାଟା ମୋର
କଳ୍ପନା ବାହାରେ !

ଧୈର୍ଯ୍ୟର ବାଡ ଭାଙ୍ଗି
ଯାତନା ଧସେଇ ଆସିଲାଣି ଦେଖ
ଚାରିଆଡେ ଖାଲି ମରିଚିକା….

ସାଉଁଟାପଣର ପାଣି ବୁନ୍ଦାଏ ପାଇଁ
ମୋ ଜୀବନ ଯେ
ତୃଷାର୍ତ୍ତ ମରୁଭୂମି ।

ମୁଁ ଜାଣିଥିଲି
ହସୁଥିବା ଲୋକଙ୍କ ମେଳରେ
କେତେ ସବୁ ରକ୍ତ ପିପାସୁ
କିନ୍ତୁ ଶେଷରେ ତୁମେ ହିଁ
ପ୍ରତାରଣାର ଶାଣିତ ତରବାରୀ ଧରି ମୋର ହି ଓଠର ହସକୁ ହାଣିବ,
ସାଜେଇଦେବ ଏକ
ତୃଷାର୍ତ୍ତ ଅତୃପ୍ତ କବନ୍ଧ…
ଏହା ମୋର ଭାବନା ବାହାରେ ।

ଜାଣିଛ..
ରାତ୍ରିର ନୀରବତାର ଚାଦରକୁ
ଘୋଡାଇ ହୋଇ
ଘୁରି ବୁଲେଁ ମୁଁ
ଏକ ଅଜଣା ରାଜ୍ୟରେ
ବୃଥା ସ୍ୱପ୍ନର ସାନ୍ତ୍ୱନା ଦେଇ
କଲା ଝିମ୍ ଝିମ୍ ଅନ୍ଧାରମାନେ
ପାଛୋଟି ନିଅନ୍ତି
ଅନ୍ଧାର ରାଜ୍ୟକୁ ।

ମନରେ ହେଉ କି ଶ୍ମଶାନରେ
ମତେ ଜାଳି ଦେଇ..
କଣ ବା ପାଇଲ ?

ଯଦି ମୋର ଦହନରେ
ଖୁସି ଅନୁଭବ କରୁଛ,
ପ୍ରତ୍ୟେକ ଜନ୍ମରେ
ତୁମ ଶ୍ମଶାନରେ
ମୁଁ ଝାସ ଦେବାକୁ ପ୍ରସ୍ତୁତ ।
କାଳେ ମତେ
ମୁକ୍ତି ମିଲିଯିବ,
ଅତୃପ୍ତ କବନ୍ଧ
ଜୀବନରୁ….

ଉମେଶ ବିଶ୍ୱାଳ
ନଅଗାଁ( ଖ)
ତହଁକ ସାହିତ୍ୟ କୁଟୁମ୍, ବଲାଙ୍ଗିର

jayashree
Leave A Reply

Your email address will not be published.