ls

ଶିଖର ସନ୍ଧାନୀ ଜଣେ ମଣିଷଙ୍କ ପ୍ରସଙ୍ଗ : ଶରଦିନ୍ଦୁ ଭୂଷଣ ହୋତା

2020
ଯୁଧିଷ୍ଠିର ମିଶ୍ରଙ୍କ ଜନ୍ମ ହେବା ଶହେ ଛ’ ବର୍ଷ ହେଲା । ଆଜିର ଅବସରରେ ତାଙ୍କୁ ପୁଣି ସ୍ମରଣ କରିବାର ଆବଶ୍ୟକତା ରହୁଛି । ତାଙ୍କ ବିପୁଳ କୃତି ସମର୍ଥ ଜୀବନର ଚାଳିକା ଶକ୍ତି ରୂପେ ରହିଥିବା ମୂଳ ପ୍ରବୃତ୍ତିକୁ ଏକକ ପରିଚିତିରେ ଚିହ୍ନି ନ ପାରିଲେ ତହିଁରୁ ପ୍ରାସଙ୍ଗିକତା ଖୋଜି ବାହାର କରିବାର କାର୍ଯ୍ୟଟି ଆଦୌ ସହଜ ହେବନାହିଁ । ହଁ, ମୂଳ ଜୀବନ କର୍ମ ସଂପାଦନର ପାଖାପାଖି ଯୁଗପତ୍‌ ଭାବରେ ନିଜର ଜୀବନ ଚର୍ଯ୍ୟାକୁ ଏକ ସଫଳ ସଂସାରୀର ରୂପ ଦେଇ ସେ ଆମ ଗହଣରେ ନିତି ଦିନିଆଁ ସାମାଜିକ ଜୀବନଟିଏ ବି ଜୀଇଁଥିବାର ବେଶ୍‌ ମନେ ପଡ଼ିଯାଉଛି । 
ଯୁଧିଷ୍ଠିର ମିଶ୍ରଙ୍କ ଜୀବନ ସଫଳତା ଏବଂ ସାର୍ଥକତାର ବହୁ ଅନୁଭବ ଉର୍ବର ଏକ ସାମଗ୍ରିକ ଜୀବନ । ସେଇଟି ସତକୁ ସତ କେଉଁ ଅନ୍ତଃପ୍ରେରଣାର ବରାଦରେ ପୀଡ଼ିତ ଜନଗଣଙ୍କ ଉତ୍‌ଥାନ କଳ୍ପେ ବାମପନ୍ଥୀ ରାଜନୀତିକୁ ଅଙ୍ଗୀକାର କରିଥିଲା । ଅଥବା ସାମାଜିକ ନ୍ୟାୟ ପ୍ରତିଷ୍ଠା ପଛରେ ଗୋଡ଼ାଇ ଆଜୀବନ ଅକ୍ଲାନ୍ତ ସଂଗ୍ରାମ କରିଥିଲା ଏବଂ ତା’ପରେ ଆହୁରି ଗହୀରକୁ ଗମି ଶିକ୍ଷା ବିସ୍ତାରର ବେଢ଼ା ଭିତରେ ପଶି ଯାଇଥିଲା ଏବଂ ସେଇଟି ହିଁ ସତ୍ତା ସମ୍ବର୍ଦ୍ଧନାର ରାଜପଥ ବୋଲି ଅନ୍ଦାଜ୍‌ କରି ଜୀବନର ଅବଶିଷ୍ଟ ଆୟୁଷର ସମର୍ପଣ କରିଥିଲା? ଏଇ ପ୍ରଶ୍ନର ଉତ୍ତର ହିଁ ଆବିଷ୍କାର କରିବ ତାଙ୍କ ଅନ୍ତଃପ୍ରେରଣାର ସ୍ୱରୂପକୁ ଏବଂ ଉଦାତ୍ତ ଭାବରେ ଘୋଷଣା କରିବ ତାଙ୍କ ଜୀବନର ସୌନ୍ଦର୍ଯ୍ୟ ଓ ସାର୍ଥକତାକୁ । ପୂରନ୍ତ ସଂସାରର ସମସ୍ତ ପ୍ରାଣୀଙ୍କୁ ଆହାର ଯୋଗାଇ ପାରିଥିବା ସମର୍ଥ ପିତା, ଦୁନିଆଁରେ ସମ୍ମାନିତ ଓ ସବଳ ଭାବେ ବଂଚି ବର୍ତ୍ତି ରହିପାରିବାର ଯୋଗ୍ୟତାରେ ସମାବର୍ତ୍ତିତ ନିଜର ସମସ୍ତ ସନ୍ତାନ ସନ୍ତତିଙ୍କ ଯୋଗ୍ୟ ପରାମର୍ଶଦାତା ଓ ପାଳକ, ବୃତ୍ତିଗତ ଜୀବନରେ ଆପଣାର ଯୋଗ୍ୟତାର ପରିଚୟ ଦେଇ ଶିଖର ସ୍ପର୍ଶ କରି ପାରିଥିବାର ଦକ୍ଷତା ଓ ନିପୂଣତା ପ୍ରଦର୍ଶନକାରୀ ଜଣେ ବିଚକ୍ଷଣ ଆଇନଜ୍ଞ ହିସାବରେ ସେ ଯେଉଁ ଅନନ୍ୟ ସାଧାରଣ ପରିଚୟ ଦେଇଛନ୍ତି ତାହା ହିଁ ପ୍ରମାଣିତ କରେ ତାଙ୍କ ଜୀବନର ସଫଳତା । ତାଙ୍କ ଜୀବନର ସାର୍ଥକତା କେତେବେଳେ ସଫଳତାକୁ ନ୍ୟୁନ ମନେ କରିନାହିଁ ବା ସଫଳତା କେତେବେଳେ ସାର୍ଥକତାକୁ ଅଣଦେଖା କରି ଉଦାସୀନ ରହିନାହିଁ । ଯୁଧିଷ୍ଠିର ବାବୁ ଜଣେ ସଫଳ ସଂସାରୀ ହେବା ସାଥେ ସାଥେ ଜଣେ ବିଚକ୍ଷଣ ମଣିଷ ବୋଲାଇବାର ସାର୍ଥକ ପରିଚୟ ଥୋଇ ଯାଇଛନ୍ତି । ସହୃଦୟ ମଣିଷଟିଏ ରୂପେ ସେ ସମାଜରେ ଅନ୍ୟମାନଙ୍କ ସାଙ୍ଗେ ସାଙ୍ଗ ହୋଇ ବାଟ ଚାଲିଛନ୍ତି । ପୁଣି ଜଣେ ଦୂରଦୃଷ୍ଟି ସଂପନ୍ନ ମଣିଷ ରୂପେ ସାର୍ଥକତାର ଅନୁଶୀଳନ ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେଇ ବାଟ ଦେଖାଇଛନ୍ତି । ଯେଉଁ ବାଟ ଶୁଭଙ୍କର ତାକୁ ଆପେ ଦେଖିପାରିଛନ୍ତି ପୁଣି ସମସ୍ତଙ୍କୁ ଧରି ସେଇ ବାଟରେ ଧରି ଏକା ସାଂଗରେ ଚାଲିଛନ୍ତି । 
ଜନ୍ମ ତାଙ୍କର ହୋଇଥିଲା ଗଡ଼ଜାତର ଅନ୍ଧାରୀ ମୂଲକରେ । ନିତାନ୍ତ ମାମୁଲି ସ୍ଥିତିରେ ଜନ୍ମିଥିଲେ ବି ତାଙ୍କ ଭିତରେ ଥିବା ସଂସ୍କାର ସଂସ୍ଥିତି ସମ୍ଭାବ୍ୟ ଏକ ମହିମାର ଘ୍ରାଣ ଦେଇ ତାଙ୍କୁ ବିଭୋର୍‌ କରିଥିଲା । ସେଇ ବିଭୋର୍‌ପଣର ବରାଦରେ ସେ ହାଉଲେ ହାଉଲେ ଜୀବନାନୁଭବର କେତେ ଅଗନାଅଗନୀ ଗହନକୁ ଗମି ପାରିଥିଲେ । ସେଇଠି ଜୀବନ ଗଠନର ଏକ ଠୋସ୍‌ ବିଧାନକୁ ଠାବ କରି ଜାଣି ପାରିଥିଲେ ଯେ, ବାହାରିହା ଜୁଲୁସ୍‌ ଦେଖାଇ ବଡ଼ ହେବା ଏବଂ ଭିତରୁ ଜୋସ୍‌ ଧରି ବୃଦ୍ଧି ପାଇବା ସମାନ କଥା ନୁହେଁ । ସେଇଠୁ ତାଙ୍କ ଜୀବନ ସଂବେଗ ଅନ୍ୟ ଏକ ଧିସା ଧରି ଧାଇଁଲା । ନେଇ ଆଣି ଥୋଇପାରିବା ବିଦ୍ୟାରେ ବାହାଦୂର ବନି କୌଣସି ମତେ ଯୋଡ଼ତୋଡ଼ କରି ତଥାକଥିତ ବଡ଼ପଣର ଜର୍ସି ପିନ୍ଧି ଅଶିକ୍ଷା, ଅଂଧାର ଓ ଅପାରଗତାର ଶୀକାର ବନି ଚାଲୁଥିବାର ଲୋକଙ୍କ ଗହଣରେ ସାଆନ୍ତିଆ ଫୁଲେଇ ପଣର ନିର୍ଲଜ ଶୃଙ୍ଗାରରେ ମାତିବାକୁ ତାଙ୍କ ଅନ୍ତଃରାତ୍ମା ନାହିଁକଲା । ତତ୍‌କାଳୀନ ସମୟ ଖଣ୍ଡରେ ଉପନିବେଶବାଦ ଓ ସାମନ୍ତବାଦର ଛାଟ ମାଡ଼ ଖାଇ ଲହୁଲୁହାଣ ହୋଇ ସାବାଡ଼ ବନି ଯାଉଥିବା ଲୋକଙ୍କୁ ଶିକ୍ଷା, ସ୍ୱାଧୀନତା ଓ ସଳଖ ଚଳନୀର ଅବଲମ୍ବନ ଯୋଗାଇ ଦେବାର ଅନ୍ତଃପ୍ରେରଣା ପ୍ରତି ସେ ଅଙ୍ଗୀକାରବଦ୍ଧ ହେଲେ । ସାମ୍ୟବାଦର ମନ୍ତ୍ରରେ ଦୀକ୍ଷିତ ହୋଇ ପୀଡ଼ିତ ଜନଗଣଙ୍କୁ ଜୀବନବୃଦ୍ଧିର ପଥ ଦେଖାଇବା ପାଇଁ ଶିକ୍ଷା ଓ ସାମ୍ୟବାଦୀ ରାଜନୀତିର ବୁନିଆଦ ପ୍ରତିଷ୍ଠାରେ ସକ୍ରିୟ ହେଲେ । ପ୍ରାଣେ ପ୍ରାଣେ ଅନୁଭବ କରିଥିଲେ ଯେ, ଜନଜୀବନକୁ ସୁସ୍ଥ ଓ ସାଷ୍ଟାମ କରିବାକୁ ହେଲେ କୌଣସି ଉପର ଠାଉରିଆ ଉପଚାର ବା ଆଡ଼ମ୍ବର କାମରେ ଲାଗିବ ନାହିଁ- ସେଥିପାଇଁ ମୂଳଗତ ଚିକିତ୍ସାର ପ୍ରୟୋଜନ । ରାଜନୀତି ଓ ଶିକ୍ଷାକୁ ମାଧ୍ୟମ କରି ଉପଚାର ଆରମ୍ଭ କରିଥିଲେ । ରାଜନୀତି ଓ ଶିକ୍ଷା ବୋଲି କହିଲେ ଯୁଧିଷ୍ଠିର ବାବୁ ଯାହା ବୁଝୁଥିଲେ, ତହିଁରେ ବି ଏକ ପ୍ରକାର ସ୍ୱାତନ୍ତ୍ରିୟ ରହିଥିଲା । ରାଜନୀତି ବୋଲି କହିଲେ ଗୋଟାମୋଟା କ୍ଷମତା ଲାଭ ପାଇଁ କରାଯାଉଥିବା ଏକ ଆପ୍ତକାମୀ ମୃଗୟାକୁ ବୁଝୁ ନଥିଲେ । ରାଜନୀତି ତାଙ୍କ ପାଇଁ ଥିଲା ଅସ୍ତିତ୍ୱକୁ ଏକା ଥରକୁ କାମୁଡ଼ି ଧରିଥିବା କାତରତା, ଶୂନ୍ୟତା ଏବଂ ଅପାରଗତାର ପ୍ରତିପକ୍ଷରେ ସଂକଳ୍ପବଦ୍ଧ ଏକ ସତ୍ତାପୋଷଣୀ ସଂଗ୍ରାମ । ସେଇ ସଂଗ୍ରାମ ସେ ପରାକ୍ରମର ସହ ଲଢ଼ିଥିଲେ । ଅସମତା ଓ ଅନ୍ୟାୟର ଚାପରେ ନିଷ୍ପେସିତ ଜନଗଣଙ୍କୁ ସଂଗ୍ରାମ ପାଇଁ ଆବଶ୍ୟକ ପଡ଼ୁଥିବା ଶକ୍ତିର ସରବରାହ ଉଦ୍ଦେଶ୍ୟରେ ଶିକ୍ଷା ହିଁ ଏକମାତ୍ର ନିର୍ଭରଯୋଗ୍ୟ ମାଧ୍ୟମ ବୋଲି ବିଶ୍ୱାସ କରି ସେ ଶିକ୍ଷା ବିସ୍ତାର ପାଇଁ ନିଷ୍ଠାପର ଭାବରେ ଉଦ୍ୟମଶୀଳ ରହିଥିଲେ । ଏଇ ମୂଳପ୍ରେରଣାର ତାଗିଦ୍‌ରେ ସେ ଅବିକଶିତ ଅଂଚଳରେ ପ୍ରାଥମିକଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବିସ୍ତାରର ସୁଯୋଗ ସୃଷ୍ଟି ପାଇଁ ଦୃଷ୍ଟାନ୍ତମୂଳକ ଉଦ୍ୟମ ଓ ଅବଦାନ ଦେଇଥିଲେ । ବଲାଙ୍ଗିରରେ ଯାହାକିଛି ଶିକ୍ଷାନୁଷ୍ଠାନ ରହିଛି ସବୁଗୁଡ଼ିକର ପ୍ରତିିଷ୍ଠା, ପରିଚାଳନା ଓ ଉତ୍ତରୋତ୍ତର ବିକାଶ ପାଇଁ ତାଙ୍କର ଅକୁଣ୍ଠିତ ଉତ୍ସାହ ସ୍ମରଣୀୟ ହୋଇ ରହିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନାରେ ଯୁଧିଷ୍ଠିର ମିଶ୍ରଙ୍କ ଅନନ୍ୟ ଅବଦାନ ବେଶ୍‌ ପ୍ରେରଣାପ୍ରଦ ହୋଇ ସବୁଦିନ ପାଇଁ ରହିଥିବ । ଯୁଧିଷ୍ଠିର ମିଶ୍ର ଆପଣାର ନିଜସ୍ୱଃ ବୈଶିଷ୍ଟ୍ୟରେ ଜଣେ ଶିକ୍ଷାଶାସ୍ତ୍ରୀ କିମ୍ବା ଶିକ୍ଷକ ନଥିଲେ । ମାତ୍ର ଜନ ଅସ୍ତିତ୍ୱର ସ୍ଥିତି ଓ ବିକାଶକୁ ତ୍ୱରାନ୍ୱିତ କରିବାରେ ଶିକ୍ଷା ହେଉଛି ମୂଳଭୂତ ଆବଶ୍ୟକତା ବୋଲି ତାଙ୍କର ଯେଉଁ ଅସ୍ଖଳିତ ବିଶ୍ୱାସ ଦାନା ବାନ୍ଧିଥିଲା, ତାହାରି ତାଗିଦ୍‌ରେ ସେ ଶିକ୍ଷା ବିସ୍ତାର ପାଇଁ ନିଜକୁ ନିଯୁକ୍ତ କରିଥିଲେ । ଶିକ୍ଷା ହିଁ ମୁକ ଜନତାର ତୁଣ୍ଡରେ ଭାଷା ଦେବ, କାତରତା କବଳିତ ଅନ୍ତରରେ ଆତ୍ମବିଶ୍ୱାସର ସଂଚାରଣ କରାଇବ, ଅନ୍ୟାୟ, ଅସତ୍ୟ ଓ କପଟତା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ପରାକ୍ରମ ଯୋଗାଇବ ବୋଲି ଅଟଳ ବିଶ୍ୱାସ ରଖି ସେ ଶିକ୍ଷାବ୍ରତୀ ହୋଇଥିଲେ । ଅଶିକ୍ଷା ଏବଂ ତହିଁରୁ ସୃଷ୍ଟି ହୋଇଥିବା ଅଯୋଗ୍ୟତାଗୁଡ଼ିକର ଅପସାରଣ ପାଇଁ ଯୁଧିଷ୍ଠିର ମିଶ୍ର ଯେଉଁ ଅମ୍ଲାନ ପ୍ରୟାସ ଜାରି ରଖିଥିଲେ ଆଜି ବି ତାହା ଅନ୍ୟ ଶିକ୍ଷାସେବୀମାନଙ୍କୁ ଏକ ଦିଗବାରିଣୀ ରୂପେ ବାଟ ଦେଖାଇବ । 
ବ୍ୟକ୍ତି ଜୀବନରେ ଯୁଧିଷ୍ଠିର ମିଶ୍ର ଜଣେ ନିଷ୍ଠାପର ବ୍ୟକ୍ତିତ୍ୱସଂପନ୍ନ ନିଦା ମଣିଷ ଥିଲେ । ପୋଲା ଓ ଫୁଲାଫାଙ୍କିଆ କଥାଗୁଡ଼ିକୁ ସାମୟିକ ଉଚ୍ଚାଟନରେ ବାକ୍‌ଚାତୁରୀର ସାହାଯ୍ୟ ନେଇ ଲୋକଙ୍କ ଉପରକୁ ଫୋପାଡ଼ି ବାହାଦୁରୀ ଗୋଟାଇବାର ବଦ୍‌ ଅଭ୍ୟାସ ତାଙ୍କର ନଥିଲା । ବ୍ୟକ୍ତିତ୍ୱ ପୋଲା ନଥିଲା ବୋଲି ଆଘାତ, ସଂଘାତରେ ହାଲିଆ ହୋଇ ପଡ଼ିବା ବି କେହି ଦେଖିନାହିଁ । ଶେଷ ପର୍ଯ୍ୟନ୍ତ ଧ୍ୟେୟନିଷ୍ଠ ଥିଲେ ଓ ସତେଜ, ସକ୍ରିୟ ରହି ସମସ୍ତ କର୍ମର ସଂପାଦନ କରୁଥିଲେ । ନିଜର ଧ୍ୟେୟ ନିଷ୍ଠତା, ସାଧୁତା, ସକ୍ରିୟତା ଏବଂ ଉଚ୍ଚ ଆଦର୍ଶପ୍ରାଣତାର କାରଣରୁ ସେ ସ୍ୱାଭାବିକ ଭାବେ ଜନଜୀବନରେ ଜଣେ ମଙ୍ଗଳାକାଂକ୍ଷୀ ମୁରବୀ ରୂପେ ସମ୍ମାନ ଓ ସମାଦର ପାଉଥିଲେ । ବ୍ୟକ୍ତିଗତ ଭାବେ କେହି ତାଙ୍କର ବଇରୀ ନଥିଲେ । ସାମାଜିକ ମୁରବୀପଣକୁ ସାଜିଲା ଭଳି ଚାରିତ୍ରିକ ଗାମ୍ଭୀର୍ଯ୍ୟ, ବ୍ୟକ୍ତିତ୍ୱ ଓ ମାନବପ୍ରୀତିର ଐଶର୍ଯ୍ୟରେ ସେ ଥିଲେ ବିଭୂଷିତ । ଶାରୀରିକ ଗଠନରେ ଯୁଧିଷ୍ଠିର ବାବୁ ଥିଲେ ସ୍ୱଳ୍ପ ଉଚ୍ଚ ବାଙ୍ଗରା ମଣିଷ । ମାତ୍ର ଚେତନା ଓ ସାଧନାରେ ଅତି ଉଚ୍ଚ ଶିଖର ସ୍ପର୍ଶ କରିବାର ଅଭିପ୍‌ସା ରଖିଥିବାର ଜଣେ ବିରଳ ମଣିଷ । ଜୀବନ ସାଧନା ପଥରେ ଶିଖର ପରେ ଶିଖର ଆରୋହଣ କରି ପାରିଥିବାର ଜଣେ ଅନୁସରଣୀୟ ସାର୍ଥକ ମଣିଷ । ଯୁଧିଷ୍ଠିର ମିଶ୍ରଙ୍କ ବ୍ୟକ୍ତି ବିଗ୍ରହରେ ପରିସ୍ଫୁଟ ପ୍ରୟାସ ପ୍ରବଣତା, ନିଃସ୍ୱାର୍ଥପତରା ଓ ସର୍ବୋପରି ମାନବିକ ଅଙ୍ଗୀକାରବଦ୍ଧତାର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି । 
ସମକାଳରେ ମନୁଷ୍ୟୋଚିତ ସମସ୍ତ ସୂକ୍ଷ୍ମ ମୂଲ୍ୟବୋଧକୁ ପୋକ ଖାଇ ଯାଉଛି । ଦିନକୁ ଦିନ ଉଜ୍ୱଳ ମନୁଷ୍ୟତାର ଭଣ୍ଡାର ଘର ଶୂନ୍ୟ ହେବା ଉପରେ । ଏଇ କଥା ଦେଖି ଦେଖି ଅନ୍ତର ଆତଙ୍କିତ ହେବା ବେଳେ ଯୁଧିଷ୍ଠିର ମିଶ୍ରଙ୍କ କାଟର ମଣିଷମାନେ ସତ୍ୟ ଓ ସାହସର ଯେଉଁ ଦୃଷ୍ଟାନ୍ତ ଥୋଇ ଯାଇଛନ୍ତି- ସିଏ ପୁଣି କିଟି କିଟି ଅନ୍ଧାର ଭିତରେ ବାଟ ଦେଖାଇବ । କାଳର ଷଡ଼ଯନ୍ତ୍ରରେ ନିଶେଷିତ ହୋଇ ଯାଉଥିବାର ଦରମଲା ମଣିଷ ପଣିଆଁକୁ ସାଷ୍ଟାମ କରି ଠିଆ କରାଇବ । ସବୁ ଝଂଜା ଧନ୍ଦୋଡ଼ ଭିତରେ ବି ମଣିଷ ବିଜୟୀ ହେବ- ମନୁଷ୍ୟତାର ମହତ ରହିବ । ଉତ୍ତରାଧିକାର ସୂତ୍ରରେ ତାଙ୍କଠୁ ମିଳିଥିବା ଜୀବନ ଦୃଷ୍ଟାନ୍ତକୁ ଆମେ ଅକ୍ଷତ ଓ ଉଜାଗର କରି ରଖିବା ନିତାନ୍ତ ଜରୁରୀ । ସେଇ ଦାୟିତ୍ୱ ନିର୍ବାହ ପାଇଁ ଉଦ୍ୟମ ଅବ୍ୟାହତ ରହୁ । 

ମୋ.ନଂ.: ୯୯୩୭୭୪୦୬୭୬

Leave A Reply

Your email address will not be published.