କରୋନା ଯୋଗୁଁ ଫିକାପଡ଼ିଛି ଲଙ୍କାପୋଡ଼ି ପର୍ବ

ସୋନପୁର , (ପ୍ରଭୁଦତ୍ତ ରଥ) : ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଆଂଚଳିକ ଭିତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ, ଲୋକ ସଂସ୍କୃତି ଏସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କା ପୋଡ଼ି ପର୍ବ ସୋନପୁରର ଅନନ୍ୟ ପରମ୍ପରା ଭିତରୁ ଅନ୍ୟତମ । କିମ୍ବଦନ୍ତୀ ଓ ଐତିହାସିକ ଦୃଷ୍ଟିକୋଣରୁ ସୋନପୁରକୁ ପଶ୍ଚିମ ଲଙ୍କା ବୋଲି କୁହାଯାଏ । ସେଥିପାଇଁ ଲଙ୍କାଧିବାସୀ ଭାବରେ ହନୁମାନର ଲଙ୍କା ପୋଡ଼ିର ସ୍ମୃତିକୁ ମନେ ପକାଇବା ପାଇଁ ପାଳନ କରାଯାଏ ଏହି ଲଙ୍କା ପୋଡ଼ି ଉତ୍ସବ ।
ଏହି ଦିନ କୁମ୍ଭାର ମାନଙ୍କ ଦ୍ୱାରା ତିଆରି ହନୁମାନ ମୁର୍ତିକୁ ସଂଧ୍ୟାରେ ଛୋଟପିଲାମାନେ ସାରା ସହରରେ ବୁଲାଇଥାନ୍ତି । ଏହି ମାଟି ତିଆରି ହନୁମାନର ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଆଗରୁ ଚାଲିଆସିଛି । ଲଙ୍କାପୋଡ଼ି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଥିବା ଏହି ଟେରାକୋଟାର ହନୁମାନର ନିର୍ମାଣ ଶୈଳୀ ସୋନପୁର ଛଡ଼ା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏହି ମାଟି ତିଆରି ହନୁମାନ ବିଦେଶରେ ଅନେକ ମ୍ୟୁଜିୟମରେ ସଂରକ୍ଷିତ ହୋଇରହିଛି । ତଥାପି ଏହି ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା କଲେ ଅନେକ ଲୁକାୟତ ତଥ୍ୟ ଜଣାପଡ଼ନ୍ତା ।
ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ସହ ସର୍ବସାଧାରଣଙ୍କ ମଧ୍ୟରେ କରାଯାଇଥାଏ ଶ୍ରେଷ୍ଠ ହୁନୁମାନ ପ୍ରତିଯୋଗିତା । ଶେଷରେ ବିଜେତାଙ୍କୁ ଏଇ ଉତ୍ସବରେ ପୁରସୃତ କରାଯାଏ । କିନ୍ତୁ କରୋନା ଯୋଗୁଁ ଏହି ବର୍ଷ ସମସ୍ତ ପ୍ରତିଯୋଗିତା ବାତିଲ୍ କରାଯାଇଛି ଏବଂ ଲଙ୍କାପୋଡ଼ି ପର୍ବ ସାମାନ୍ୟ ଫିକା ପଡ଼ିଛି ।

Leave A Reply

Your email address will not be published.