pakka

ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ଅବା ପ୍ରାବଣ ଷଷ୍ଠୀରେ ବିଶ୍ୱନୀୟନ୍ତା ଭଗବାନଙ୍କ “ଘୋଡଲାଗି ବେଶ” ଲାଗି ହୁଏ

kalikesh

ମହାପ୍ରଭୁ କଳା ଶ୍ରୀମୁଖ ହେ କାଳିଆ ସାଆନ୍ତ, ଜୟ ଜଗନ୍ନାଥ । ଶ୍ରୀକ୍ଷେତ୍ର ଅଧୀପତି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବଡ ଭାଇ ବଳଭଦ୍ରଙ୍କ ସହ ଭଗିନୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ନିୟତି ଚକ୍ରକୁ ସମ୍ମାନ ଜଣାଇ ଋତୁ ଅନୁସାରେ ନିଜର ବେଶ, ପରମ୍ପରା ନୀତିରେ ପରିବର୍ତ୍ତନ କରୁଛନ୍ତି । ଶୀତଋତୁରେ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ବେଳକୁ ଧରାପୃଷ୍ଠକୁ ଶୀତ ତା’ର ପ୍ରକୋପ ନେଇ ଓହ୍ଲାଇ ଆସିଥାଏ । ନିୟତି ପ୍ରକୃତିକୁ ସମ୍ମାନ ଜଣାଇ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ନିଜର ପରିଧାନ ବେଶରେ ସଜ୍ଜିତ ଯେଉଁ ଭାବେ ହୋଇଥାନ୍ତି, ଶୀତକୁ ପ୍ରତିହତ କରିବାକୁ ସଜାଗ ହେବାକୁ ମହାପ୍ରଭୁ ଯେଉଁ ବେଶ ଧାରଣ କରନ୍ତି, ତାହାକୁ “ଘୋଡଲାଗି ବେଶ” କୁହାଯାଏ । ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀକୁ ପ୍ରାବଣ ଷଷ୍ଠୀ କୁହାଯାଏ । ଏହି ଦିନ, ଆଜିଠାରୁ, ଶ୍ରୀମନ୍ଦିରରେ ଓ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଓ ସମସ୍ତ ଦେବଦେବୀ ପୀଠରେ ଘୋଡଲାଗି ବେଶ ଆସନ୍ତା ମାଘ ଶୁକ୍ଳ ଚତୁର୍ଥୀ ଯାଏଁ ଲାଗି ହୋଇଥାଏ । ଉକ୍ତ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଝୋବା ଲାଗି ହୁଏ ନାହିଁ । ଏହି ଘୋଡଲାଗି ବେଶ ପରମ୍ପରା ହଜାର ବର୍ଷରୁ ଅଧିକ ଯାହା କେଶରୀ ବଂଶ ରାଜାଙ୍କ ସମୟରୁ ପ୍ରଚଳିତ ବୋଲି କୁହାଯାଏ । ଏହି ଘୋଡଲାଗି ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୂପ ଲାବଣ୍ୟ ଅତି ଚମତ୍କାର ଓ ଆକର୍ଷଣୀୟ ମନଲୋଭା ହୋଇଥାଏ । ଏହା ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରାରେ ଏକ ଅଦ୍ୱିତୀୟ ଭାବମୂଳକ ତଥା ବିଧିବିଧାନ ମୂଳକ ବେଶ ଅଟେ । ଉକ୍ତ ଘୋଡ ପାଟରେ ବୁଣା ଯାଉଥିବା ଶ୍ଳୋକ “ମାର୍ଗଶିର୍ଷେ ଶୀତେ ପକ୍ଷେ, ଯା’ ଷଷ୍ଠୀ ତିଥି ସଂଯୁତା, ସାତୁ ପ୍ରାବରଣୀ ନାମ, ସର୍ବ କାମ ଫଳ ପ୍ରଦାନ, ବିଜୟତୁ ଜଗନ୍ନାଥ, ଦିବ୍ୟବସ୍ତ୍ରେଣାଳକୃତ, ପ୍ରଯଚ୍ଛତୁ ସର୍ବକାମାନ୍, ସ୍ୱର୍ଗ ମୋକ୍ଷଚ ଦୁର୍ଲ୍ଲଭମ୍ ।” ପ୍ରତିଦିନ ବାରାନୁଯାୟୀ ପାରମ୍ପରୀକ ବେଶର ବସ୍ତ୍ରର ରଙ୍ଗ ଅଲଗା ଅଲଗା ହୋଇଥାଏ । ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଏ । ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ କରାଯାଏ । ଏହାପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଏ । ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଏ । ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ କରାଯାଇ, ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯାଇଥାଏ । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କର ଓଢ଼ଣ ଷଷ୍ଠୀ /ପ୍ରାବଣ ଷଷ୍ଠୀ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା । ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା । ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାଆନ୍ତି । ଏହି ଘୋଡ଼ଲାଗି ପ୍ରାବଣ ଷଷ୍ଠୀରୁ ଆରମ୍ଭ ହୋଇ ମହାପ୍ରଭୁ ଶିବରାତ୍ରୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଆଦି ଗ୍ରନ୍ଥଗୁଡ଼ିକରେ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଅଛି । ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ସ୍କନ୍ଦପୁରାଣରେ ଓଢ଼ଣ ଷଷ୍ଠୀ ସଂପର୍କରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଅଛି । ଏହି ପୁରାଣ ଅନୁସାରେ ମାର୍ଗଶିର ଶୁକ୍ଳ ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗୁଡ଼ାରେ ଘୋଡ଼ମାନକୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମଇଲମ ବଢ଼ିବା ପରେ ପାଣି ପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୋଇଥାଆନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଓଢଣ ଷଷ୍ଠୀ ଦିନ ସେହି ବସ୍ତ୍ରକୁ ଦ୍ୟୁତାନସ୍ତୁ ମନ୍ତ୍ରରେ ମହାପ୍ରଭୁଙ୍କୁ ପରିଧାନ କରାଯାଏ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ବଡ଼ଦେଉଳକୁ ତିନି ଘେରା ଓ ରତ୍ନସିଂହାସନକୁ ତିନି ଘେରା ପ୍ରଦକ୍ଷିଣ କରାଯାଇ ତତ୍ ପରେ ରତ୍ନ ସିଂହାସନକୁ ବିଜେ କରାଯାଇଥାଏ । ସିଂହାସନରେ ଠାକୁରମାନଙ୍କର ଘୋଡ଼ ଲାଗି ସରିଲା ପରେ ଛଅମୂର୍ତ୍ତି ଅଳଙ୍କାର ଲାଗି ହୋଇଥାନ୍ତି । ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏକ ବସ୍ତ୍ର ଯାହା ଭିନ୍ନ ଭିନ୍ନ ବାରରେ ଭିନ୍ନ ଭିନ୍ନ ରଙ୍ଗର ଲାଗି ହୋଇଥାଏ । ସୋମବାର ଶୁକ୍ଳ, ମଙ୍ଗଳବାର ବାରପାଟିଆ(ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରବିତ୍ ମାନେ ମହାପ୍ରଭୁଙ୍କର ଏହି ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ଆକଳନ କରିଥାଆନ୍ତି । ଭକ୍ତ ଦୀନକୃଷ୍ଣ ଦାସ ଘୋଡ଼ ଲାଗି ବେଶକୁ ଦର୍ଶନ କରି ଜଗମୋହନ ଛାନ୍ଦରେ ଲେଖିଛନ୍ତି:–
“ଏମନ୍ତେ ହିମ ସମୟେ ଜଗନ୍ନାଥ ଦେବରାୟେଞ୍ଚ
ଦିବ୍ୟ ଘୋଡ଼ମାନ ନିଘୋଡ଼ କରି
ସେ ଶ୍ରୀଅଙ୍ଗରେ ଲାଗି ହୁଏ ।।
ଶ୍ରୀମନ୍ଦିରର ପାରମ୍ପରୀକ ଦରଜି ସେବାୟତଙ୍କ ଦ୍ଵାରା ମହାପ୍ରଭୁଙ୍କ ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଥାଏ । ପତନୀ, ଗୀତ ଗୋବିନ୍ଦ ପାଟ ଏବଂ ସୂତା ପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଏ । ଶୀତ ଚାରି ମାସ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହୋଇଥାଏ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉମାନଙ୍କର ଅନୁଷ୍ଠିତ ହୋଇଥାଏ ଏହି ଘୋଡ଼ ଲାଗି ବେଶ ।

  • କେ.ସତ୍ୟନାରାୟଣ ରେଡ୍ଡୀ
pp
Leave A Reply

Your email address will not be published.

fourteen + eleven =