କଂଟାବାଂଜି ଝାଙ୍କରପଡା ସ୍ଥିତ ପିଡବ୍ଲୁଡି ରାସ୍ତା ପାଖ ଜବର ଦଖଲ ଉଛେଦ : ୬ଟି ଦୋକାନ ଗୃହକୁ ଭାଙ୍ଗିଲା ପ୍ରଶାସନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରାଂଚଳର ଝାଙ୍କରପଡା ପିଡବ୍ଲୁଡି ରାସ୍ତାକୁ ଦୀର୍ଘ ବର୍ଷ ହେଲା ଦୋକାନ ଘର କରି ଜବର ଦଖଲ କରାଯାଇଥିବା ବେଳେ ଆଜି ଅପରାହ୍ନରେ ପ୍ରଶାସନଦ୍ୱାରା ଉଛେଦ କରାଯାଇଛି । ଝାଙ୍କରପଡା ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ ଅଫିସ ନିକଟରେ ପିଡବ୍ଲୁଡି ରାସ୍ତା ଉପରେ ୬ଟି ପକ୍କା ଦୋକାନ ଗୃହ କରି ଭଡା ସୂତ୍ରରେ ଲାଗିଥିଲା । ଏହି ଜବର ଦଖଲ ଉପରେ ପ୍ରଶାସନିକ ତରଫରୁ ମାମଲା ଚାଲିଥିଲା । କିନ୍ତୁ ତାର ଆଜି ଅନ୍ତ ଘଟି ଟିଟିଲାଗଡ ଉପଜିଲ୍ଲାପାଳ ତଥା କଂଟାବାଂଜି ଏନ.ଏ.ସି. ପ୍ରଶାସକ ସୋମେଶ କୁମାର ଉପାଧ୍ୟୟଙ୍କ ଉପସ୍ଥିତିରେ ଏହା ଉଛେଦ କରାଯାଇଛି । ଏହି ଊଛେଦ ବେଳେ ଜବର ଦଖଲକାରୀ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝି ଓ ଏନ.ଏ.ସି. ନିର୍ବାହୀ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ମିଶ୍ରଙ୍କୁ ବେଆଇନ ଭଙ୍ଗାଉଥିବା ଦର୍ଶାଇ ପ୍ରତିବାଦ କରିଥିଲେ । ଫଳରେ ଉଛେଦ ବେଳେ ଅଧା ଘଂଟା ଯାଏଁ ଉଛେଦ କାର୍ଯ୍ୟ ବ୍ୟାହାତ ହୋଇଥିଲା ।

ଏହା ପରେ ଉପଜିଲ୍ଲାପାଳ ପୁର୍ନବାର ଘଟଣାସ୍ଥଳକୁ ଆସି ଉଛେଦ ଭଙ୍ଗାରୁଜା କରିଥିଲେ । ଏହି ଊଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ମହାପାତ୍ର, ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର, ଆରଆଇ. ବିନୋଦ ବାରିକ, ରାଜସ୍ୱ କର୍ମଚାରୀ, ଏନଏସିର ସମସ୍ତ କର୍ମଚାରୀ, ସରକାରୀ ଓକିଲ ସହଦେବ ନାଗ, ପିଡବ୍ଲୁଡି ସହକାରି ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ପାତ୍ର ସହ ପୋଲିସ ପ୍ଲାଟୁନ ମୁତୟନ ଥିଲେ । ଶାନ୍ତି ଶୃଙ୍ଖଳାରେ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଏହି ଜବର ଦଖଳ ଉଛେଦ ହୋଇଯାଇଛି ।

Leave A Reply

Your email address will not be published.