ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ, ଆଦିବାସୀ ଜମିକୁ ଜବରଦସ୍ତ ଦଖଲ କରି ରାସ୍ତା କାମ : ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମଲଦା ଗ୍ରାମରେ ପିଡବ୍ଲୁଡି ବିଭାଗ ଦ୍ବାରା ନିର୍ମିତ ହେଉଥିବା ବିଜୁ ଏକ୍ସପ୍ରେସ ୱେ ନିର୍ମାଣରେ ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ ଚାଲିଥିବା ଆଲୋଚନା ହେଉଛି । ଅଭିଯୋଗ ହୋଇଛି, ଜନୈକ ଆଦିବାସୀ ପରିବାରର ଜମିକୁ ରେଜିଷ୍ଟ୍ରି ନକରି ଜୋର୍‌ ଜବରଦସ୍ତ ଉକ୍ତ ଜମିର ଦଖଲ କରି ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣ କରି ଚାଲିଛନ୍ତି । ରାସ୍ତାକାମ ବନ୍ଦ ପାଇଁ ଭଗବାନ ବରିହା ଠିକାଦାର ଓ ପିଡବ୍ଲୁଡି ଅଧିକାରୀ ମାନଙ୍କୁ ଅନୁରୋଧ କରିବା ସତ୍ତ୍ବେ ସେମାନେ ଦାଦାଗିରି କରିବାରୁ ଶ୍ରୀ ବରିହା ପାଇକମାଲ ଥାନାରେ ପିଡବ୍ଲୁଡି ଏସଡିଓ ଜିତେନ୍ଦ୍ର ମେହେର ଓ ଠିକାଦାର ଜଗଦିଶ ବନଛୋରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଭଗବାନ ବରିହାଙ୍କ ଅଜା ସ୍ବର୍ଗତ ଜୟସିଂ ବରିହାଙ୍କ ନାମରେ ମଲଦା ଗ୍ରାମରେ ଖାତା ନଂ ୯୦/୨ ରୁ ୦.୪୮ ଡିସିମିଲ ଏବଂ ଖାତା ନଂ ୩୦ ରୁ ୦.୬୩ ଡିସିମିଲ ସର୍ବ ମୋଟ ୧ ଏକର ୧୧ ଡିସିମିଲ ଜାଗାରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କାମ ନିର୍ମାଣ ହେବ । ଉକ୍ତ ଜାଗା ଏ ପର୍ୟ୍ୟନ୍ତ ପିଡବ୍ଲୁଡି ନାମରେ ରେଜିଷ୍ଟ୍ରେସନ ହୋଇ ନାହିଁ କିମ୍ବା ଜମି ବାବଦକୁ ବରିହା ପରିବାର ଟଙ୍କାଟିଏ ମଧ୍ୟ ପାଇ ନଥିବା ବେଳେ ଏସଡିଓ ଶ୍ରୀ ମେହେର ଓ ଠିକାଦାର ଜୋର ଜବରଦସ୍ତ ଜଣେ ଆଦିବାସୀଙ୍କ ଜମି ଦଖଲ କରିବା ଫିରିଙ୍ଗି ଶାସନର ନମୁନା ବୋଲି ଅଂଚଳରେ ଚର୍ଚ୍ଚା ହେଉଛି । ଥାନା ଅଧିକାରୀ ଏଥିରେ ହସ୍ତକ୍ଷେପ ନକଲେ ପୁରା ପରିବାର ବିଜୁ ଏକ୍ସପ୍ରେସ ୱେ ନିର୍ମିତ ହେଉଥିବା ସ୍ଥାନରେ ଆମରଣ ଅନଶନ ବସିବା ପାଇଁ ବାଧ୍ୟ ହେବେ ବୋଲି ଶ୍ରୀ ବରିହା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.