ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ସେଠ, ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷକ ଭରତ ବାଗ ଓ ସମ୍ମାନିତ ଅତିଥି ଭାବରେ କୁମୁଦବନ୍ଧୁ ଯୋଷୀ, ଲଳିତ କୁମାର ସୁନାରୀଙ୍କ ସମେତ ସଂଘ ଉପସଭାପତି ଅରୁଣ କୁମାର ଯୋଷୀ, ଝରଣା ସାଗର ଦୁରିଆ ଓ ସଂପାଦକ ବାଲାଜୀ ହରିଜନ ମଂଚାସୀନ ଥିଲେ । ଶିକ୍ଷକଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ଓ ସହଯୋଗ ଭାବ ରହିଲେ ଅଂଚଳରେ ଶିକ୍ଷାର ବିକାଶ ସହଜ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସଂଘର ପ୍ରାକ୍ତନ ସଂପାଦକ ବୈଷ୍ଣବ ମେହେର ଅତିଥି ଆମନ୍ତ୍ରଣ ସହ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଲୋଚନ ମେହେର ମଂଚ ସଂଚାଳନ କରିଥିଲେ । ଅତିଥିଙ୍କ ଦ୍ୱାରା ଦେବ ପୂଜନ ପରେ ନିକୁଞ୍ଜ ବିହାରୀ ସା ଓ ସାଥିଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଚୂଡ଼ାମଣି ମେହେର ମନ୍ତ୍ରପାଠ କରିଥିଲେ । ଏହା ପରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆରସିସି ଖଗେଶ୍ୱର ନିଆଲ, ଶିକ୍ଷକ ହୄଦାନନ୍ଦ ମେହେର ଓ ବିଭୁତି ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସିଆର୍ସିସି ମହେଶ୍ୱର ଗୁଆଲ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବ୍ଲକର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ସିଆର୍ସିସି ସହଯୋଗ କରିଥିଲେ ।