ବଲାଙ୍ଗିର, (କେପିଏନ୍ଏସ୍) : ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍ର ବିଶାଖାପଟ୍ଟନମ୍ ପର୍ଯ୍ୟନ୍ତ ସଂପ୍ରସାରଣର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ରେଳ ଷ୍ଟେସନ୍ ଠାରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗଦାନ କରି ବଲାଙ୍ଗିର ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ମତ ପ୍ରକାଶ କରିଛନ୍ତି । ବଲାଙ୍ଗିରବାସୀଙ୍କ ପାଇଁ ଏହି ଟ୍ରେନ୍ର ସଂପ୍ରସାରଣ ବେଶ୍ ଉତ୍ସାହପ୍ରଦ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ବନାରସ ସହ ଟ୍ରେନ୍ ଯୋଗାଯୋଗ ପାଇଁ ବହୁ ଦିନରୁ ବଲାଙ୍ଗିରବାସୀଙ୍କ ଦାବୀ ରହି ଆସିଥିଲା । ଆଜି ତାହା ପୂରଣ ହୋଇପାରିଛି । ଏଥି ସହିତ ବିଶଖାପାଟ୍ଟନମ୍ ପାଇଁ ମଧ୍ୟ ଆଉ ଏକ ଟ୍ରେନ୍ ଯୋଗାଯୋଗର ସୁବିଧା ପାଇ ପାରିଛନ୍ତି ବଲାଙ୍ଗିରବାସୀ ବୋଲି ସେ କହିଛନ୍ତି । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ଟ୍ରେନ୍ର ସଂପ୍ରସାରଣ ବଲାଙ୍ଗିରବାସୀଙ୍କ ପାଇଁ ଖୁବ୍ ସହଯୋଗ ପ୍ରଦାନ କରିବ ବୋଲି ରାଜ୍ୟସଭା ସାଂସଦ ନିରଂଜନ ବିଶି କହିଛନ୍ତି ।