- ମାତୃ ଶକ୍ତିର ସୁରକ୍ଷା ଓ ସଚେତନତା ସହିତ ସାମାଜିକ ସଂହତି ଓ ଅର୍ଥନୈତିକ ସମୃଦ୍ଧି ଜଡିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାତୃଶକ୍ତିଙ୍କ ସୁରକ୍ଷା ଓ ସଚେତନତା ସହିତ ଗୋଟିଏ ଅଞ୍ଚଳର ସାମାଜିକ ସଂହତି ଓ ଅର୍ଥନୈତିକ ସମୃଦ୍ଧି ଅଙ୍ଗାଙ୍ଗୀ ଭାବେ ଜଡିତ । ଯେଉଁଠି ମହିଳାମାନେ ଯେତେ ସୁରକ୍ଷିତ ସେଇଠି ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ସେତେକି କ୍ଷୀପ୍ର ହୋଇଥାଏ । ଛୋଟବେଳୁ ପିଲାମାନଙ୍କ ମଧ୍ୟରେ ସଦ୍ଭାବନା, ସମ୍ବେଦନଶୀଳତା ଓ ସହନଶୀଳତା ଭଳି ଭଲ ଗୁଣ ଗୁଡିକୁ ବିକଶିତ କରାଗଲେ ସମାଜରେ ହିଂସା ଓ ଅସଦାଚରଣ ହ୍ରାସ ପାଇପାରିବ ବୋଲି ସମଗ୍ର ଶିକ୍ଷା ସଭାଗୃହଠାରେ ଆୟୋଜିତ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସଭାପତିତ୍ୱ କରି ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଆଶାବ୍ୟକ୍ତ କରିଛନ୍ତି । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫ ଅନ୍ତର୍ଗତ ବିଭିନ୍ନ ଆଇନଗତ ବ୍ୟବସ୍ଥା ଓ ସୁରକ୍ଷା ଅଧିକାରୀଙ୍କ ଭୂମିକା, ଡି.ଆଇ.ଆର୍ ଦାଖଲ ପ୍ରକ୍ରିୟା, ଆଇନଗତ ସାହାଯ୍ୟ, ବିଭିନ୍ନ ସେବା ପ୍ରଦାନକାରୀଙ୍କ ଭୂମିକା, ମହିଳା ମାନଙ୍କ ସୁରକ୍ଷା ନେଇ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ଦ୍ୱାରା ନିଆଯାଇଥିବା ସର୍ବୋତ୍ତମ ପଦକ୍ଷେପ ଅଭିଯୋଗ ତଦନ୍ତ ପ୍ରକ୍ରିୟା ଓ ପରିଚାଳନା ଆଦି ବିଷୟରେ ଶିବିରରେ ବିଶଦ ଭାବରେ ଆଲୋଚନା ହୋଇଥିଲା । କୌଣସି ସ୍ଥାନରେ ହିଂସା ବା ଅସଦାଚରଣ ହୋଇଥିବାର ଦେଖି ନିରବ ନ ରହି ଜରୁରୀ କାଳୀନ ଜାତୀୟ ମହିଳା ହେଲ୍ପ ଲାଇନ୍ ନଂ.୧୦୯୧/୧୮୧, ଚାଇଲ୍ଡ ଲାଇନ୍ ନଂ ୧୦୯୮ ଏବଂ ଜରୁରୀକାଳୀନ ସହାୟତା ନଂ. ୧୧୨କୁ ବିନା ଦ୍ୱିଧାରେ କଲ୍ କରି ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା, ସମସ୍ତ ସିଡିପିଓ, ସୁପରଭାଇଜର୍, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର, ଛତ୍ରପୁର ଭାରପ୍ରାପ୍ତ ଥାନା ଅଧିକାରୀ, ୱାନ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।