om academy

ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି, ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରା । ଅସ୍ଥାୟୀ ମଣ୍ଡପରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ହରି ନାମ ଭଜନ ଆରମ୍ଭ ହୋଇଥିବା ବେଳେ ଯୁବପିଢ଼ିଙ୍କ ପାଇଁ ବିଳମ୍ବିତ ରାତ୍ରିରେ ଲଘୁ ସଙ୍ଗୀତର ନୃତ୍ୟ ମେଗା ମଞ୍ଚର ଆୟୋଜନ ହୋଇ ସହରଟି ଚଳଚଞ୍ଚଳ ହୋଇ ଉଠିଛି । ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ଏହି ପାରମ୍ପାରୀକ ଯାତ୍ରା ପ୍ରତି ଦୁଇ ବର୍ଷର ବ୍ୟବଧାନରେ ପୁରୁଷାନୁକ୍ରମେ ସମାହିତ ହୋଇ ଆସିଥାଏ । ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଏହି ଯାତ୍ରା ମାସ ବ୍ୟାପି ଖୁବ୍ ଯାକଜମକରେ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜନ ହୋଇଛି । ଯାହାକି ମାସବ୍ୟାପୀ ସୁରୁଖରେ ସମାହିତ କରିବା ପାଇଁ ଯାତ୍ରା କମିଟି ପ୍ରସ୍ତୁତ ହୋଇଛନ୍ତି ବୋଲି ଯାତ୍ରା କମିଟି ପକ୍ଷରୁ ମ୍ୟାନେଜର୍‌ ସି.ଏଚ୍‌. ଦୟାନନ୍ଦ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି । ଏକ ମାସ ପାଇଁ ଦେବୀ ମାଆ ଘରକୁ ଗମନ କରିବେ । ଜନ୍ମମାଟିରେ ନିଜ ବନ୍ଧୁବର୍ଗ ପରିଜନଙ୍କ ସହ ଖୁସି ବିତାଇବେ । ଇତି ମଧ୍ୟରେ ଦେବୀ ବାପ ଘରେ ରହଣି କାଳରେ ଦେବୀ ଖୁସିର ସମ୍ଭାରରେ ଦିନ କଟାଇବେ । ନିଜ ସାଙ୍ଗ ସାଥୀ ସହଚରୀଙ୍କ ମେଳରେ ଦେବୀ ପ୍ରତିଦିନ ସଂଧ୍ୟାରେ ରାଜଭୋଗ ଖାଇବାକୁ ବାହାରିବେ । ଗ୍ରାମ ଓ ନଗର ପରିଭ୍ରମଣରେ ବର୍ଣ୍ଣାଢ଼୍ୟ ପଟୁଆରରେ ଦେବୀ ଦଶଭୁଜା ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ସୁଚନା ଯୋଗ୍ୟ ଯେ’ ଏହି ଅବସରରେ ସୋମବାର ଦିନ ନବନିର୍ମିତ ଅସ୍ଥାୟୀ ମଣ୍ଡପକୁ ଶୋଧନ କରାଯାଇ ପୂଜା ସଂସ୍କାର ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଛି । ଦେବୀଙ୍କ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଭୋଗରାଗ ହୋଇଛି । ସୋମବାର ସନ୍ଧ୍ୟାରେ ଦେବୀ ଦଶଭୁଜା ମହାମାୟୀଙ୍କ ଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ବାପ ଘର ଲୋକେ ଆସିବେ ଡାକରାକୁ ତେଣୁ ମାଆ ନିଜେ ନିଜ ଖୁସିରେ ନୂଆ ବସ୍ତ୍ର ପରିଧାନ ହୋଇ ନୂଆଁ ବେଶ ସାଜି, ସୁନ୍ଦର ପରିପାଟୀ, ଅଳଙ୍କାର ଧାରଣ କରି ମାଆ ବାପ ଘରକୁ ବାହାରିବେ ମଙ୍ଗଳାବର ପ୍ରତ୍ୟୁଷରେ ଦେବୀ ବ୍ରହ୍ମ-ସ୍ୱରୂପିଣୀ, ବ୍ରହ୍ମଚାରିଣୀ ରୂପରେ ଦେବୀ ଭକ୍ତଙ୍କୁ ଦର୍ଶନ ଦେବେ । ବୁଧବାର ଦେବୀ ଦଶଭୁଜା ମହାମାୟୀ ବେଶ ଧାରଣ କରିବେ । ସେହି ଅନୁସାରେ ମାଆଙ୍କର କଳିଯୁଗର ଲୀଳା ସ୍ୱରୂପ ଦଶଜଣ ମହିଳା ମସ୍ତକରେ ଘଟ ଧରି ବାହାରନ୍ତି । ଦେବୀଙ୍କ ଏହି ଅଲୌକିକ ଘଟଯାତ୍ରାକୁ ଲୌକିକ ପରମ୍ପରା ମତରେ ଏହାକୁ ଠାକୁରାଣୀ ଯାତ୍ରା ବୋଲି ସାଧାରଣରେ ଗଣନା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଗଞ୍ଜାମ ପୋଲିସ୍ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ, ସ୍ଵାସ୍ଥ୍ୟ ବିଭାଗ ପୌର ପରିଷଦ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମସ୍ତେ ସଚେତନ ରହିଛନ୍ତି । ଦେବୀଙ୍କର ଏହି ଭବ୍ୟ ଆଡମ୍ବର ପୂର୍ଣ୍ଣ ଯାତ୍ରାରେ ସହର ମୁଖରୀତ ହୋଇ ଭକ୍ତି ଭାବାବେଗରେ ଭକ୍ତଙ୍କୁ ଆହ୍ଲାଦିତ କରିଦେଇଛି ।

Leave A Reply

Your email address will not be published.