ଜାତୀୟ ଶିକ୍ଷାନୀତି – ୨୦୨୦ ଉପରେ ୱେବିନାର : ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ସଂଭାବନା ସୃଷ୍ଟି କରିଛି ଶିକ୍ଷାନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣିତ ଜାତୀୟ ଶିକ୍ଷା ନୀତି-୨୦୨୦ରେ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ୱ ଆରୋପ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବୀରେ ସଂଚାର ହୋଇଛି । ସମଗ୍ର ଓଡ଼ିଶାର ଅର୍ଦ୍ଧେକ ଅଞ୍ଚଳରେ ପ୍ରାୟ ଦୁଇ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ/କୋଶଲି ଭାଷା ସାହିତ୍ୟର ଭଣ୍ଡାର ସଂବୃଦ୍ଧି ହୋଇ ଚାଲିଛି । ନାଟକ ଏବଂ ଚଳଚିତ୍ରଗୁଡିକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ନିଜର ପରିଚୟ ସୃଷ୍ଟି କରି ପାରିଛି । ଏହି ଭାଷାର ସାରସ୍ୱତ ସାଧକଙ୍କୁ ପଦ୍ମଶ୍ରୀ ପୁରସ୍କାର, ଭାଷା ସମ୍ମାନ ପ୍ରଭୃତି ମିଳି ସାରିଛି । କିଛି ବିଦ୍ୟାଳୟରେ ଉକ୍ତ ଭାଷାକୁ ଔପଚାରିକ ମାଧ୍ୟମ ଭାବେ ବ୍ୟବହାର କରା ଯାଉଛି । ତେଣୁ ଏହି ସ୍ୱୟଂ ସଂପୂର୍ଣ୍ଣ ସମ୍ବଲପୁରୀ/କୋଶଲି ଭାଷାକୁ ପଶ୍ଚିମ ଓଡିଶାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର ହେଲେ ଭାଷାଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଛୋଟ ପିଲା ମାନେ ବହୁଳ ଭାବେ ଉପକୃତ ହୋଇପାରିବେ । ତେଣୁ ଏ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ପଶ୍ଚିମ ଓଡିଶାର ସାହିତ୍ୟ, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକତା ରହିଛି ବୋଲି ଜାତୀୟ ଶିକ୍ଷାନୀତି ଉପରେ ଆୟୋଜିତ ଏକ ୱେବିନାରରେ ମତ ପ୍ରକାଶ ପାଇଛି । ଛଁଏରା କୁଟୁମ କୁଚିପାଲି ଆନୁକୂଲ୍ୟରେ ଫେସବୁକ ପେଜରେ ଆୟୋଜିତ ଜାତୀୟ ଶିକ୍ଷାନୀତି -୨୦୨୦ରେ ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ସଂଭାବନା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ଗାଳ୍ପିକ ସତ୍ୟ ପ୍ରକାଶ ସାହୁ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଟେକଚାନ୍ଦ ଦୁଆନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଶିକ୍ଷକ ନେତ୍ରାନନ୍ଦ ପ୍ରଧାନ ଆଲୋଚନା ଭାବରେ ଯୋଗଦାନ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ଦେବେଶ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.