ୟୁରିଆ ସାରର କଳା ବଜାର : ୨ ଟ୍ରକ ସାର ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାକୁ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଚଳିତ ଖରିଫ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୮ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ମାତ୍ର ୪୨୦୦ ମେଟ୍ରିକ୍ ଟନ୍ ୟୁରିଆ ଆସିଛି । ଅଭାବୀ ଯୋଗାଣର ସୁଯୋଗ ନେଇ ଜିଲ୍ଲାରେ ୟୁରିଆ ସାରର କଳା ବଜାର ଆରମ୍ଭ ହୋଇ ଯାଇଛି । ବସ୍ତା ପିଛା ସରକାରୀ ଧାର୍ଯ୍ୟଦର ୨୬୬ ଟଂକା ରହିଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୫ଶହରୁ ୭ଶହ ଟଂକାରେ ବିକ୍ରି କରି ବେପାରୀମାନେ ଅନୈତିକ ଓ ଅତିରିକ୍ତ ଲାଭ ଉଠାଉଛନ୍ତି । ତେବେ ଗତକାଲି ରାତିରେ ବୀରମହାରାଜପୁର ବ୍ଲକର ବୁଠି ପଦର ଗାଁରେ ୨ଟି ଟ୍ରକରେ ୩୭୦ ବସ୍ତା ୟୁରିଆ ସାର ଚୋରା ଚାଲାଣ ହେଉଥିବା ସମୟରେ ଜିଲ୍ଲା କୃଷି ବିଭାଗ ଓ ପୋଲିସ ମିଳିତ ଚଢାଉ କରି ସାରକୁ ଜବତ କରିଛନ୍ତି । ଇତି ମଧ୍ୟରେ ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲାର ୪ଟି ପ୍ୟାକ୍ସର ସଂପାଦକ ଓ ୯ଟି ସାର ରିଟେଲରଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅପରପକ୍ଷେ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ୟୁରିଆ ସାରର ଅଭାବ ଓ କଳା ବଜାରକୁ ନେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆ ଯାଇଛି ।

Leave A Reply

Your email address will not be published.