ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶପଥ ପାଠରେ ଡେପୁଟି କଲେକ୍ଟର ପ୍ରୀତମ କୁମାର ତନ୍ତୀ, ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ସହକାରୀ ଜିଲ୍ଲାପାଳ ଗୁରେଶ୍ୱର ଭୋଇ, ବନବିହାରୀ ହର୍‌ପାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

ସେହିପରି ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର, ପାଟଣାଗଡ଼ ଓ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.