ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୫ ସ୍ଥିତ ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ତରଫରୁ କମ୍ୟୁନିଟି ସେଣ୍ଟର୍ ଠାରେ ତୃତୀୟ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଗୋପାଳ ସ୍ୱାଇଁଙ୍କ ଆବାହକତ୍ଵ ଓ ଉପଦେଷ୍ଟା ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ସେକ୍ଟର ୧୫ଥାନାର ସବଇନ୍ସପେକ୍ଟର ସୁନୀଲ କୁମାର ଦାସ, କବୟିତ୍ରୀ ସସ୍ମିତା ପ୍ରଧାନ, ଶିକ୍ଷାବିତ ହେମନ୍ତ ବିଶ୍ୱାଳ ଓ ପ୍ରଶାନ୍ତ ନାୟକ, ବରିଷ୍ଠ ନାଗରିକ ବିପ୍ରଚରଣ ପରିଡ଼ା, ସମାଜସେବୀ ଗୌରାଙ୍ଗ ଚରଣ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳୀୟ ପରମ୍ପରା ଓ ବୋଇତ ବନ୍ଦାଣ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆକାମାବୈର ମାହାତ୍ମ୍ୟ, ସାଧବପୁଅଙ୍କ ନୌବାଣିଜ୍ୟ ଓ ଉତ୍କଳର ଅଭିବୃଦ୍ଧିରେ ବାଣିଜ୍ୟର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭା ପରେ ଷ୍ଟାର ମ୍ୟୁଜିକାଲ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଙ୍ଗୁଳୁ ମହାରଣା, ମନୋଜ ନାୟକ, ଚଗୁଲୁ ଦାସ, ବିଷ୍ଣୁ ବିଶୋଇ ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।