ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୁତିବନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ବରଗଡ଼ ସହର ଉପକଣ୍ଠ ବଗେଇବିରା ନିକଟ ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୃତିବନ । ଗତବର୍ଷ ଠିକ୍ ଆଜିକାର ଦିନରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗ ସହଯୋଗରେ ବୈଷ୍ଣୋଦେବୀ ମନ୍ଦିରର ଅନତିଦୂରରେ ସ୍ମୃତିବନର ସ୍ଥାପନା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ମାଟି ଅଣାଯାଇଥିଲା ଏବଂ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରାଯାଇଥିଲା । ସ୍ମୃତିବନ ତଥା ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ରୋପଣ କରାଯାଇଥିବା ବୃକ୍ଷଚାରାକୁ ଆଜି କାରଗିଲ୍ ବିଜୟ ଦିବସରେ ଠିକ୍ ବର୍ଷେ ପୂରିଛି । ଏହି କ୍ରମରେ ଆଜି ବରଗଡ଼ ସାମ୍ବାଦିକ ସଂଘ ଏବଂ ବନ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ମୃତିବନର ଜନ୍ମବାର୍ଷିକୀ ଭଳି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏକ କେକ୍ କଟାଯିବା ସହିତ ସ୍ମୃତିବନରେ ରହିଥିବା ବୃକ୍ଷଚାରାକୁ ପୂଜାର୍ଚ୍ଚନା କରି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ସହିତ ସ୍ମୃତିବନର ଜନ୍ମ ବାର୍ଷିକୀ ପାଳନ ଅବସରରେ ଚାରା ରୋପଣ କରାଯାଇଥିବା ବେଳେ ସଂଗ୍ରାମୀ ସ୍ମୃତିବନରେ ରହିଥିବା ବୃକ୍ଷ ଚାରାର ଯତ୍ନ ନେଉଥିବା ୪ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ବରଗଡ଼ ବନଖଣ୍ଡର ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଗୋଚ୍ଛାୟତ, ବରଗଡ଼ ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସମେତ ବନ କର୍ମଚାରୀ ଏବଂ ବରଗଡ଼ ସାମ୍ବାଦିକ ସଂଘର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.