ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ପ୍ରତିଶ୍ରୁତିବଦ୍ଧ
- ମୋଦୀ ସରକାରଙ୍କ ନିରନ୍ତର ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବାତାବରଣ ଦୁର୍ବଳ ହୋଇଛି
- ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ନେଇ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆଗେଇ ନେବାକୁ ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି
- ଆମର ଲକ୍ଷ୍ୟ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା ହେବା ଉଚିତ୍
- ନିଶା ଦ୍ରବ୍ୟ କାରବାରରୁ ଯେଉଁ ଆତଙ୍କୀ ପାଣ୍ଠି ଯୋଗାଣ ହେଉଛି ତାହାକୁ ଆମେ ତୁରନ୍ତ ଏବଂ କଡ଼ାକଡ଼ି ଭାବେ ବନ୍ଦ କରିବା ଆବଶ୍ୟକ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ ଏବଂ ଜମ୍ମୁ-କଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗତକାଲି ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ, ଯେଉଁଥିରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । ମୋଦୀ ସରକାରଙ୍କ ନିରନ୍ତର ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ପରିବେଶ ଯଥେଷ୍ଟ ଦୁର୍ବଳ ହୋଇଛି ବୋଲି ସେ କହିଥିଲେ । ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ନେଇ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆଗେଇନେବାକୁ ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସୁରକ୍ଷା ଏଜେନ୍ସି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଅନୁପ୍ରବେଶ ଓ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଅମିତ ଶାହା କହିଛନ୍ତି ଯେ ନାର୍କୋ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀଙ୍କୁ ସେମାନଙ୍କ କାର୍ଯ୍ୟକଳାପ ଚଳାଇବାରେ ସହାୟତା ଯୋଗାଇ ଦେଉଛି । ନିଶା ଦ୍ରବ୍ୟ କାରବାରରୁ ଆସୁଥିବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନୂଆ ଅପରାଧିକ ଆଇନର ସମୟାନୁଯାୟୀ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ନୂଆ ନିଯୁକ୍ତି ଦେବାକୁ ଅମିତ ଶାହା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଆତଙ୍କବାଦ ମୁକ୍ତ ଜମ୍ମୁ-କଶ୍ମୀରର ଲକ୍ଷ୍ୟ ହାସଲ ପାଇଁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତାର ମୋଦୀ ସରକାରଙ୍କ ନୀତି ଉପରେ ଶ୍ରୀ ଅମିତ ଶାହ ଗୁରୁତ୍ୱାରୋପ କରିଥିଲେ । ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ସଚେତନ ରହିବା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ-କଶ୍ମୀରରେ ସୁରକ୍ଷା ପରିସ୍ଥିତିର ସମସ୍ତ ମାନଦଣ୍ଡରେ ଉଲ୍ଲେଖନୀୟ ଉନ୍ନତି ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ ।