ବିଜ୍ଞାନ ପ୍ରଚାର ସମିତି ତରଫରୁ ସଞ୍ଜୟ ଆନନ୍ଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ କକ୍ଷରେ ବିଜ୍ଞାନ ପ୍ରଚାର ସମିତିର ବାର୍ଷିକ ଉତ୍ସବରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମର ସଞ୍ଜୟ ଆନନ୍ଦ ତ୍ରିପାଠୀଙ୍କୁ ସୁକୁମାର-ସୁନନ୍ଦା ‘ଜନପ୍ରିୟ ବିଜ୍ଞାନ’ ପୁରସ୍କାରରେ ସମ୍ମାନୀତ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ତ୍ରିପାଠୀ ୧୯୯୬ ମସିହାରୁ ଜନପ୍ରିୟ ବିଜ୍ଞାନ ଲେଖା ଆରମ୍ଭ କରି ଏ ପର୍ଯ୍ୟନ୍ତ ୧୦ ଖଣ୍ଡ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି । ଏତଦ୍‌ ବ୍ୟତିତ ତାଙ୍କର ୧୦୦ ରୁ ଊଦ୍ଧ୍ୱର୍ ପ୍ରବନ୍ଧ ଦୈନିକ ଧରିତ୍ରୀ, ପ୍ରଗତିବାଦୀ, ସମୟ ତଥା ବିଭିନ୍ନ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଅଛି । ଜନପ୍ରିୟ ବିଜ୍ଞାନ ସହିତ ସେ ବ୍ୟଙ୍ଗ ଗଳ୍ପ, କବିତା ତଥା ହିନ୍ଦୀ କବିତା ଲେଖି ପାଠକୀୟ ସ୍ୱୀକୃତି ଲାଭ କରିଅଛନ୍ତି । ନିକଟରେ ସେ ମଧ୍ୟ ‘ପ୍ରତିଲିପି’ ଓଡିଆ ତରଫରୁ କବିତା ମାରାଥନର ପ୍ରଥମ ପର୍ଯ୍ୟାୟର ୧୦୦ ଦିନରେ ୧୦୦ଟି କବିତା (ଅନଲାଇନ୍‌)ରେ ଭାଗ ନେଇ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ତାଙ୍କ ଲିଖିତ ‘ଅକୁହା କଥା’ କବିତା ସଙ୍କଳନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି । ଛାତ୍ରାବସ୍ଥାରୁ ଲେଖାରେ ରୁଚି ରଖୁଥିବା ଶ୍ରୀ ତ୍ରିପାଠୀଙ୍କର ୧୬ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ଏଥି ମଧ୍ୟରେ ତିନି ଖଣ୍ଡ ବ୍ୟଙ୍ଗ କବିତା, ଗୋଟିଏ ବ୍ୟଙ୍ଗ ଗଳ୍ପ, ୧୦ ଖଣ୍ଡ ଜନପ୍ରିୟ ବିଜ୍ଞାନ ପୁସ୍ତକ ଓ ଗୋଟିଏ ହିନ୍ଦୀ କବିତା ଓ ଓଡିଆ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି । ତାଙ୍କର ରଚିତ ଓଡିଆ, ହିନ୍ଦିୀ ଓ ସମ୍ବଲପୁରୀ ଭଜନ, ଗଜଲ, ଶ୍ରୀରାମ ମୁଭି ଓ ମ୍ୟୁଜିକ୍‌ ତଥା ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ସଙ୍ଗୀତ ପ୍ରେମୀଙ୍କ ଆଦୃତି ଲାଭ କରିଛି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ରାଜ୍ୟ ସଚିବାଳୟ, ଭୁବନେଶ୍ୱରରେ ଡେକ୍ସ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏହି ଖୁସି ଖବର ପାଇବା ପରେ ବଲାଙ୍ଗିରରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.