jayashree

ମା’ ରାମଚଣ୍ଡୀ ପୀଠ ପରିଦର୍ଶନରେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠକୁ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି ଏବଂ ମନ୍ଦିର ବେଢ଼ା ପରିକ୍ରମା କରି ଏକ ଅଦ୍ଭୁତମୟ ଉଦାହରଣ ସୃଷ୍ଟି କରିଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ପର୍ବତ ଶୀର୍ଷରେ ଅବସ୍ଥାନ କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ କର-କମଳରେ ସ୍ଥାପିତ ଐତିହସିକ ତଥା କିମ୍ବଦନ୍ତୀ ପ୍ରମାଣିତ ପ୍ରସିଦ୍ଧ ସ୍ଥଳ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କରି ନିଜକୁ ଧନ୍ୟମନେ କରିଥିଲେ । ମହାଶକ୍ତି ମହାକାଳୀ, ମହାସରସ୍ଵତୀ, ମହାଲକ୍ଷ୍ମୀ ରୂପରେ ତ୍ରିଶକ୍ତି ଧାରଣୀ ଭାବେ ପୂଜିତ ଦେବୀଙ୍କୁ ଭକ୍ତି ଭାବପନ୍ନାର ସହ ଦର୍ଶନ ଓ ପୂଜା ଆରାଧନା କରି ବିଭୂକୃପା ଲାଭ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ମନ୍ଦିର ବେଢ଼ା ପରିକ୍ରମଣ କରିବା ଭିତ୍ତିରେ ମା’ ରାମଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏକ ଅନ୍ତରଙ୍ଗ ସମାରୋହରେ ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟିର ନେତ୍ତୃବର୍ଗଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଭୁ ଉପହାର ଦେଇ ସାଂସଦଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଯୋଜକ କମଲ କୁମାର ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା କରପଡା ପଞ୍ଚାୟତର ସରପଞ୍ଚ ତଥା ପୂଜା କମିଟି ସଭାପତି ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ପଣ୍ତିତ ରାମଶଙ୍କର ଶତପଥୀ, ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ପୂଜା କମିଟିର ସଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ସହ-ସଂଯୋଜକ ତୁଷାରକାନ୍ତ ଶତପଥୀ, ସନ୍ତୋଷ ପଣ୍ଡା, ଶିବରାମ ନାୟକ, ରବି ନାୟକ, ଶଙ୍କର ନାୟକ, ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, ପ୍ରେସ୍ ଫୋଟୋ ଗ୍ରଫେର ଅଶୋକ ରଥ, ଦଣ୍ଡ ମହାରଣା ବରୁଣ, ଗୋପାଳ ନାୟକଙ୍କ ସମେତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପରେ ଟ୍ରଷ୍ଟ ଓ ସମସ୍ତ ପୂଜା କମିଟି ସଦସ୍ୟ ମଣ୍ଡଳୀଙ୍କ ଉପସ୍ଥିତିରେ ମନ୍ଦିର ପରିସର ବୁଲି ଦେଖିଥିଲେ ଏବଂ ବିଭିନ୍ନ ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ । ଶେଷରେ ସେ ନିଜେ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ମିଳିତ ଉଦ୍ୟମରେ ଆଗାମୀ ଦିନରେ କିପରି ଏହି ପୀଠକୁ ପର୍ଯ୍ୟଟନର ମାନ୍ୟତା ଦିଆଯିବା ସହିତ ପୀଠରେ ଭକ୍ତ ମାନଙ୍କ ପାଇଁ ଆବଶ୍ୟକତା ଦୃଷ୍ଟିରେ ହେଉଥିବା ସମସ୍ତ ଅସୁବିଧାକୁ କିପରି ତୁରନ୍ତ ସମାଧାନ କରାଯିବା ତାହା ଉପରେ ଆଲୋକପାତ କରିବା ସହିତ ସଂଯୋଜକ କମଲ ପଣ୍ଡାଙ୍କୁ ଏହାର ଏକ ରିପୋର୍ଟ ଆକଳନ କରି ଉକ୍ତ ଫର୍ଦ୍ଦକୁ ପ୍ରଦାନ କରିବାକୁ ସାଂସଦ ଆଦେଶ ଦେଇଥିଲେ ।

Leave A Reply

Your email address will not be published.