ମହାକୁମ୍ଭ ୨୦୨୫ : ସାହିତ୍ୟ, ସଂସ୍କୃତି ଓ ଜ୍ଞାନର ସଂଗମ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପାଲଟିଛି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର
- ମୋବାଇଲ ପୁସ୍ତକ ପ୍ରଦର୍ଶନୀ ଓ ନ୍ୟାସନାଲ ଇ-ଲାଇବ୍ରେରୀ ଆପ୍ ଜରିଆରେ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାର ବହି ପାଇ ପାରୁଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି । ଏହା ସହିତ ଏଠାରେ ସାହିତ୍ୟ, ସଂସ୍କୃତି ଓ ଜ୍ଞାନକୁ ନେଇ ଅନେକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଶ୍ରଦ୍ଧାଳୁଙ୍କ ଜ୍ଞାନ ଅର୍ଜନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତରଫରୁ ମହାକୁମ୍ଭରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହି ସବୁ ଆୟୋଜନ ଜରିଆରେ ଶ୍ରଦ୍ଧାଳୁମାନେ କେବଳ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ସଂପର୍କରେ ଅବଗତ ହେବେ ତାହା ନୁହେଁ, ଆଧୁନିକ ଜ୍ଞାନକୌଶଳ ଜରିଆରେ ମଧ୍ୟ ଏମାନେ ଏହି ସବୁ ଯୋଜନା ସଂପର୍କରେ ଜାଣିପାରିବେ । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ଏକ ଅଭିନବ ପଦକ୍ଷେପ ନିଆଯାଇ ମେଳାରେ ଏକ ରିଡିଂ ଲାଉଞ୍ଜ କରାଯାଇଛି । ଏଠାରେ ଶ୍ରଦ୍ଧାଳୁମାନେ ମାଗଣାରେ ବହି ପଢ଼ି ପାରିବେ ଓ ଜ୍ଞାନର ଏହି ମହାସାଗରର ସାରସ୍ୱତ ଆନନ୍ଦ ନେଇପାରିବେ । ପ୍ରୟାଗରାଜର ପରେଡ୍ ଗ୍ରାଉଣ୍ଡ ସେକ୍ଟର ୧ରେ ଥିବା ନମାମି ଗଙ୍ଗେ ପାଭେଲିୟନରେ ଏନବିଟିର ଏହି ରିଡିଂ ଲାଉଞ୍ଜ କରାଯାଇଛି । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ରିଡିଂ ଲାଉଞ୍ଜ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହି ଲାଉଞ୍ଜରେ ୬୧୯ଟି ବହି ଅଛି । ଭାରତୀୟ ଦର୍ଶନ, ଭାରତୀୟ ସଂସ୍କୃତି ଓ କୁମ୍ଭ ମେଳା ଉପରେ ଏହି ସବୁ ବହି ଲେଖା ଯାଇଛି । ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦେଖି ଏଠାରେ ‘କୁମ୍ଭ କେ ମେଳେ ମେଁ ମଙ୍ଗଳବାସୀ’, ‘ ଭାରତ ମେଁ କୁମ୍ଭ’ ଓ ‘ ଏ ଭିଜିଟ ଟୁ କୁମ୍ଭ’ ପରି ପୁସ୍ତକ ଉପଲବ୍ଧ କରାଯାଇଛି । ହିନ୍ଦୀ ଭାଷାକୁ ଛାଡ଼ି ଇଂରାଜୀ ଓ ଅନ୍ୟ ଭାଷାର ବହି ବି ଏଠାରେ ରହିଛି, ଯାହା ଦ୍ୱାରା ଅଣ-ହିନ୍ଦୀ ଶ୍ରଦ୍ଧାଳୁ ମଧ୍ୟ ଏହି ଲାଉଞ୍ଜରେ ବସି ପଢ଼ିପାରିବେ । ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଅଧୀନରେ ଯୁବ ଲେଖକମାନେ ଲେଖିଥିବା ବହି ଏଠାରେ ପ୍ରଦର୍ଶିତ କରାଯାଇଛି । ଏନବିଟିର ମାର୍କେଟିଂ ଅଧିକାରୀ ଆଶିଷ ରାୟ କହିଛନ୍ତି, ଭାରତୀୟ ସଂସ୍କୃତି ସଂପର୍କରେ ଲେଖା ଯାଇଥିବା ବହିର ଅଧିକ ଚାହିଦା ରହିଛି କୁମ୍ଭମେଳାରେ । ଫଳରେ ଏହି ଲାଉଞ୍ଜରେ ସାଂସ୍କୃତିକ ସାହିତ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଗଙ୍ଗା ନଦୀ ଉପରେ ଲେଖାଯାଇଥିବା ବିଭିନ୍ନ ପୁସ୍ତକ ‘ଦି ଗଙ୍ଗା’, ‘ବେଦ କଳ୍ପତରୁ’ ଏବଂ ‘ପ୍ରାଚୀନ ତାମିଲ କିମ୍ୱଦନ୍ତୀ’ ପରି ପୁସ୍ତକକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରୁଛନ୍ତି । ଏହି ଲାଉଞ୍ଜର ଆଉ ଏକ ବିଶେଷତ୍ୱ ହେଲା-ଯଦି ଜଣେ ଶ୍ରଦ୍ଧାଳୁଙ୍କୁ କୌଣସି ବହି ପସନ୍ଦ ଲାଗିଲା ଓ ତାକୁ ସେ କିଣିବାକୁ ଚାହିଁଲେ, ସେହି ବହିରେ ୨୫ ପ୍ରତିଶତ ରିହାତି ମିଳିବ । ମହାକୁମ୍ଭ ୨୦୨୫ ରେ ଏନବିଟି ମଧ୍ୟ ‘ଏନବିଟି ପୁସ୍ତକ ପରିକ୍ରମା’ (ମୋବାଇଲ ପୁସ୍ତକ ପ୍ରଦର୍ଶନୀ)ର ବ୍ୟବସ୍ଥା କରିଛି । ଏଥିରେ ରହିଛି ୧୧୫୦ଟି ବହି । ଗୋଟିଏ ମୋବାଇଲ୍ ପୁସ୍ତକ ପ୍ରଦର୍ଶନୀ କରାଯାଇଛି । କୁମ୍ଭ ମେଳାରେ ବୁଲିବା ସମୟରେ ଶ୍ରଦ୍ଧାଳୁମାନେ ଏହି ପୁସ୍ତକ ଦେଖିପାରିବେ ଓ ବହି କିଣିପାରିବେ । ଏହା ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜାତୀୟ ଇ ଲାଇବ୍ରେରୀ ସଂପର୍କରେ ସୂଚନା ପ୍ରଦାନ କରାଯାଉଛି । ଲୋକେ କେମିତି ନ୍ୟାସନାଲ ଇ-ଲାଇବ୍ରେରୀ ଆପ୍କୁ ନିଜ ନିଜ ମୋବାଇଲରେ ଲୋଡ୍ କରିପାରିବେ ଓ କ୍ୟୁଆର୍ କୋଡ୍ ସ୍କାନ କରି ହଜାର ହଜାର ବହି ପଢ଼ି ପାରିବେ ସେ ସଂପର୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଉଛି । ମେଳାର ଏହି ଏନବିଟି ରିଡିଂ ଲାଉଞ୍ଜ କେବଳ ଯେ ଶ୍ରଦ୍ଧାଳୁଙ୍କ ଜ୍ଞାନ ବର୍ଦ୍ଧନ କରୁଛି ତାହା ନୁହେଁ, ଏହା ମଧ୍ୟ ସାହିତ୍ୟ, ସଂସ୍କୃତି ଓ ଡିଜିଟାଲ ଜ୍ଞାନର ଏକ ସ୍ରୋତ ସୃଷ୍ଟି କରିଛି । ଏହା ଦ୍ୱାରା ଶ୍ରଦ୍ଧାଳୁମାନେ ଧାର୍ମିକ, ଆଧ୍ୟାତ୍ମିକ, ସମସାମୟିକ ସାହିତ୍ୟର ନିକଟତର ହୋଇପାରିଛନ୍ତି । ଏହା ଦ୍ୱାରା ମହାକୁମ୍ଭ କେବଳ ଏକ ଆସ୍ଥାର କେନ୍ଦ୍ର ବିନ୍ଦୁ ପାଲଟି ନାହିଁ, ବରଂ ଏହା ପାଲଟିଛି ଜ୍ଞାନ, ସଂସ୍କୃତି ଓ ସାହିତ୍ୟର ଅପୂର୍ବ ସଂଗମ ।