ସାନମୂଳା ଗାଁର ମୃତକଙ୍କ ପରିବାରକୁ ଭେଟି ସହାୟତା କଲେ ସମାଜସେବୀ ତଥା ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ

  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନ ଥିବାରୁ ହୋଇପାରିଲାନି ଚିକିତ୍ସା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସାନମୂଳା ଗାଁର ମୃତକଙ୍କ ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେର । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଂଚାୟତ ସାନମୂଳା ଗାଁରେ ରହନ୍ତି ମୃତକ ମହେନ୍ଦ୍ର ଭୋଇଙ୍କ ପତ୍ନୀ ଉର୍ବଶୀ ଭୋଇ । ୫ ପୁଅ ଝିଅଙ୍କ ସହ ସୁରୁଖୁରୁରେ କାଳ କାଟୁଥିଲେ । ହେଲେ ଗତ ଶନିବାର ଦିନ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଆଉ ଏହି ପରିବାର ଉପରେ ଚଡକ ପଡିଗଲା । ପରିବାରର ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ଏବେ ବେସାହାରା ହୋଇଯାଇଛନ୍ତି । ଅନ୍ନ ଯୋଗାଉଥିବା ମୁଖ୍ୟଙ୍କ ମୃତ୍ୟୁ ପରେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର । ସରକାରୀ ସୁବିଧା କହିଲେ ଜଣ ପିଛା ୫ କେଜି ଲେଖାଏଁ ଚାଉଲରେ ଯେଣତେଣ ପ୍ରକାରେ ଗୁଜୁରାଣ ମେଂଟାଉଛନ୍ତି ଏହି ପରିବାର । ବାପାଙ୍କ ଚିକିତ୍ସା ପାଇଁ ପୁଅ ଝିଅ ମାନେ ଠିକ୍‌ରେ ପାଠ ନ ପଢି ପାଠ ପଢିବା ଛାଡି ଦେଇଛନ୍ତି । ବଡ଼ଝିଅ ସିକ୍‌ଲିନ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ୫ ପୁଅ ଝିଅଙ୍କୁ ପାଠପଢା ସୁବିଧା ସାଙ୍ଗକୁ ରେଡକ୍ରସ ଫଣ୍ଡରୁ କିଛି ଆର୍ଥିକ ସାହାଯ୍ୟ ଦେଲେ ପରିବାରଟି ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରିବାର ଅସହାୟ ଅବସ୍ଥାରେ ଥିବା ନେଇ ଖବର ପାଇ ତାଙ୍କ ନିକଟରେ ଆଜି ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ତଥା ଅଞ୍ଚଳର ସମାଜସେବୀ ଉପେନ୍ଦ୍ର ମେହେର ପହଞ୍ଚିଛନ୍ତି । ଉକ୍ତ ମୃତକଙ୍କ ପରିବାର ନିକଟରେ କିଛି ଆର୍ଥିକ ସହାୟତା କରିବା ସହ ଶୁଖିଲା ଖାଦ୍ୟ ଦେବା ସହ କିପରି ଭାବେ ସରକାରୀ ସହାୟତା ପାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ଜଣାଇଛନ୍ତି । ତେବେ ଏହି ଭଳି ଅସହାୟଙ୍କୁ ସାହାଯ୍ୟ ସହଯୋଗ କରୁଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି । ସୂଚନାଯୋଗ୍ୟ ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ନ ଥିବାରୁ ଗରିବ ପରିବାରର ମୁଖ୍ୟଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.