ବଲାଙ୍ଗିର, (କେପିଏନ୍ଏସ୍) : ୮୦ ବର୍ଷୀୟା ମହିଳା ସଚି ବିଶ୍ୱାଳ । ଘର ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗାଁରେ । ସ୍ୱାମୀ, ଦୁଇ ପୁଅ, ତିନି ଝିଅ ସହ ଘର ସଂସାର କରି ଚଳୁଥିଲେ । ବୟସର ଅପରାହ୍ନରେ ସ୍ୱାମୀ ଛାଡି ଚାଲି ଯିବା ପରେ ଦୁଇ ପୁଅ ମା’ଙ୍କୁ ଆଉ ପଚାରିଲେ ନାହିଁ । ତିନି ଝିଅ ବିବାହିତା ହେତୁ ସମସ୍ତେ ନିଜ ନିଜ ଶାଶୁ ଘରେ ରହୁଛନ୍ତି । ସବା ସାନ ଝିଅ ନିଜ ମା’ଙ୍କୁ ଆଣି ବଲାଙ୍ଗିର ସହର ଚିମିନିଭାଟିପଡା ସାହୁ କଲୋନୀସ୍ଥିତ ସ୍ୱାମୀ ଘରେ ରଖି ସେବା ସୁସଅୁଷା କରୁଥିଲେ । ଅନେକ ଦିନ ଧରି ସଚି ବିଶ୍ୱାଳ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗ କରୁଥିଲେ । ସାନ ଝିଅ କିନ୍ତୁ ସ୍ୱାମୀ ସହ ମିଶି ମା’ର ଚିକିତ୍ସା ସହ ଯତ୍ନ ନେଉଥିଲେ । ତେବେ ଗତକାଲି ଅପରାହ୍ନ ପାଖାପାଖି ୧ଟା ସମୟରେ ସଚି ବିଶ୍ୱାଳ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଘରର ଜ୍ୱାଇଁ ହିସାବରେ ଜୟ ନାଏକ ଦୁଇ ପୁଅଙ୍କୁ ତାଙ୍କ ମା’ଙ୍କର ମୃତ୍ୟୁର ଖବର ଦେଇଥିଲେ । ହେଲେ ଦୁଇ ପୁଅ ରୋକଠୋକ ମନା କରି କହିଥିଲେ ଯେ, ମା’ର ଶବକୁ ଆଉ ଆମ ପାଖକୁ ଆଣ ନାହିଁ, ଯାହା କରୁଛ ତୁମେ କରିଦିଅ । ଏପଟେ ଘରର ଜ୍ୱାଇଁ ମଧ୍ୟ ଆର୍ଥିକ ଭାବରେ ସେତେଟା ସକ୍ଷମ ନ ଥିଲେ । ଫଳରେ ସେ ନିଜ ଶାଶୁଙ୍କ ଶବ ସତ୍କାର ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସହାୟତା ଲୋଡିଥିଲେ । ସଂଗଠନର ସଦସ୍ୟମାନେ ତାଙ୍କ ଘରେ ପହଞ୍ଚିବା ପରେ ସମସ୍ତ ବିଷୟରେ ଅବଗତ ହୋଇଥିଲେ । ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସେହି ବୃଦ୍ଧା ମହିଳାଙ୍କ ଶବ ସତ୍କାରର ଦାୟିତ୍ୱ ନେଇଥିଲା । ସ୍ୱର୍ଗ ରଥରେ ବୃଦ୍ଧା ମହିଳାଙ୍କ ଶବକୁ ଆଣି ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ସଂଗଠନର ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଉତ୍ତମ ନନ୍ଦ, ଏମ୍.ଡି. ବବଲୁ, ଅଜୟ କୁମାର ନାଗ, ତନ୍ମୟ ପୁଟେଲ, ଜଗନ୍ନାଥ ସୁନା ଓ ବାବୁ ସ୍ୱାଇଁ ପ୍ରମୁଖଙ୍କ ସହଯୋଗ ଏବଂ ଜ୍ୱାଇଁ ଜୟ ନାଏକଙ୍କ ଉପସ୍ଥିତିରେ ସସମ୍ମାନରେ ଶବ ସତ୍କାର କରାଗଲା । ଶବ ସତ୍କାରରେ ଉପଯୁକ୍ତ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଯୁବ ସମାଜସେବୀ ଟୁନା ମିଶ୍ର ସହଯୋଗ କରିଥିବା ବେଳେ ଖବର ପାଇ ଡାକ୍ତର ବେଣୁଧର ପାଣ୍ଡେ ଶବ ସତ୍କାର ସମୟରେ ଶ୍ମଶାନରେ ଉପସ୍ଥିତ ରହିଥିଲେ ।
ବୃଦ୍ଧା ମହିଳାଙ୍କ ଆତ୍ମାର ଶାନ୍ତି ଓ ସଦ୍ଗତି କାମନା କରି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛି ।
Prev Post