ରାସ୍ତା ନଥିବାରୁ ପହଞ୍ଚିଲାନି ଆମ୍ବୁଲାନ୍ସ : ୭ କିମି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି, (ପି. କେ. ସାହୁ) : ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକର ବହୁ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା । ନିର୍ବାଚନ ଆସିଲେ ବହୁ ସୁନେଲି ସ୍ବପ୍ନ ଦେଖାଇ ନେତାମାନେ ଭୋଟ୍ ହାତେଇ ନେଲା ପରେ ସବୁ ପ୍ରତିଶ୍ରୁତି ପାଣିରଗାର ପାଲଟୁଥିବା ଅଭିଯୋଗ ହେଉଛି । ରାସ୍ତା ନଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ବାଧ୍ୟ ହୋଇ ଲୋକେ ଖଟିଆରେ ବୋହି ରୋଗୀଙ୍କୁ ନେଉଥିବା ଦେଖାଦେଉଛି । ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମଳିଛି । ବ୍ଲକ୍‌ର ଦେଢ଼ଶୁଲି ପଞ୍ଚାୟତ ଦାମାଣି ଗାଁର ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭାରରେ ୭ କିଲୋମିଟର ପର୍ଯ୍ୟନ୍ତ ବୋହିକି ନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଜି ପୁଣି ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ ଦାମାଣି ଗାଁର କୁଟାମି ମାଝୀ (୨୫)ଙ୍କ ଦେହ ଆଜି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ହେଁ ରାସ୍ତା ନଥିବାରୁ ଗାଁକୁ ଆସିପାରି ନଥିଲା । ପରେ ସାତ କିମି ଦୂର ଗଣ୍ଡାପଦର ଗ୍ରାମ ପର୍ଯ୍ୟନ୍ତ ବଡ଼ ଚାଙ୍ଗୁଡ଼ି(ଭୁଗୁଲି)ରେ ଶାଢ଼ି ସାହାଯ୍ୟରେ ଦୋଳା ବାନ୍ଧି ଅଣାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଭଳି ସମସ୍ୟା ପ୍ରାୟତଃ ଦେଖିବାକୁ ମିଳୁଥିବାରୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!