jayashree

ଲାଞ୍ଜିଗଡ-ମୁନିଗୁଡା ରାସ୍ତା ମରଣଯନ୍ତା : ଲୋକେ ହନ୍ତସନ

କଳାହାଣ୍ଡି, (କେପିଏନ୍‌ଏସ୍‌): ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ ହୋଇପଡିଛି । ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ ଖାଲ ଖମା ସୃଷ୍ଟି ହୋଇ ସାରିଲାଣି । ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷା ହେବା କ୍ଷଣି ରାସ୍ତାରେ ଯୋଗାଯୋଗ ଠପ୍ ହୋଇଯାଉଛି । କିନ୍ତୁ ଠିକାଦାରଙ୍କ ଲାଭଖୋର ନୀତିକୁ ଆଖି ବୁଜି ସମର୍ଥନ ଦେଉଥିବା ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ସାଜିଛନ୍ତି । ଫଳରେ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ରାସ୍ତାର ଦୁରବସ୍ଥା ଯୋଗୁଁ ଲୋକେ ଯାତାୟାତରେ ଘୋର ଅସୁବିଧା ଭୋଗୁଥିବା ବେଳେ ରୋଗୀ, ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ନେବା ଆଣିବାରେ ସମସ୍ୟା ଦେଖା ଦେଉଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।
ଅଭିଯୋଗ ଅନୁସାରେ ଲାଞ୍ଜିଗଡ ସହର ଠାରୁ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରମୁଖ ସଡକ ହୋଇଥିବା ବେଳେ ଏହା ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ ତଥା ମୁନିଗୁଡା ରେଳ ଷ୍ଟେସନକୁ ଯାତାୟାତରେ ସହାୟକ ହୋଇଥାଏ । ସେହିପରି ଲାଞ୍ଜିଗଡ ବ୍ଲକର ଅନେକ ଗାଁକୁ ସଂଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ ରାସ୍ତାରେ ନିମ୍ନମାନର କାମ ଯୋଗୁଁ ଲାଞ୍ଜିଗଡ ପୋଖରୀଠାରୁ ବଂଶୀଧାର ନଦୀ ପର୍ୟ୍ୟନ୍ତ ୧ କିମି ରାସ୍ତାରୁ ପିଚୁ ଉଠିଯାଇ ବଡ ବଡ ଖାଲ ସୃଷ୍ଟି ହୋଇଛି ।
ଏନେଇ ଲାଞ୍ଜିଗଡ ବ୍ଲକ ଗ୍ରାମ୍ୟ ଉନ୍ନୟନ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରାଙ୍କୁ ପଚାରିବାରୁ ତାହା ଆମ ଅଧୀନରେ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.